ପ୍ରଶାସନ ର ପାତର ଅନ୍ତର ନୀତି ଯୋଗୁଁ, ମାଣିତ୍ରୀ ଛକରେ ସରପଞ୍ଚ ଓ ଗ୍ରାମବାସୀ ଙ୍କ ଧାରଣା।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):::ସୋର ଥାନା ବାଗୁଡ଼ି ଖାଦାନରେ ପ୍ରଶାସନର ପାତର ଅନ୍ତର ନୀତିକୁ ବିରୋଧ କରି ମାଣତ୍ରୀ ଛକ ନିକଟରେ ବାଗୁଡ଼ି ଖାଦାନରୁ ଆସୁଥିବା ମାଲ ବୋଝେଇ ଡମ୍ପର ଗୁଡିକୁ ଅଟକାଇ ସୋର ଗୋପୀନାଥପୁର ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।ସୂଚନା ଅନୁସାରେ ବାଗୁଡ଼ି ଖାଦାନରେ ଥିବା ସମସ୍ତ କ୍ଵାରୀ ଗୁଡିକର ଲିଜ ସମାପ୍ତ ହୋଇଯାଇଥିବା ବେଳେ ଖାଦାନରୁ ବେଆଇନ ପଥର ଚାଲାଣ ହେଉଥିଲା। ଏହି ଖବର ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦାନର ୪ ନମ୍ବର ସାଇଡରେ ୧୬୩ ଧାରା ଲାଗୁ କରାଯାଇ ପୁଲିସ କ୍ୟାମ୍ପ କରାଯାଇଛି।କିନ୍ତୁ ୫ ନମ୍ବର ସାଇଡ଼ରେ ୧୬୩ ଧାରା ଲାଗୁ ହୋଇଥିଲେ ସୁଦ୍ଧା ସେଠାରେ ପୁଲିସ କ୍ୟାମ୍ପ କରାନଯିବାରୁ ସେଠାରୁ ପ୍ରତିଦିନ ଶହ ଶହ ଟ୍ରିପ ପଥର, ଚିପ୍ସ ଚୋରି ହେଉଛି। ଫଳରେ ଏହାକୁ ବିରୋଧ କରି ଆଜି ଅପରାହ୍ନରେ ମାଣତ୍ରୀ ଛକ ନିକଟରେ ମାଣତ୍ରୀ ସରପଞ୍ଚ ବାଞ୍ଛାନିଧି ମଲ୍ଲିକ ଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଲୋକେ ଖାଦାନରୁ ବୋଝେଇ କରି ଆସୁଥିବା ଚିପ୍ସ, ପାହାଡ଼ମାଟି ଏବଂ ପଥର ବୋଝେଇ ଡମ୍ପର ଗୁଡିକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ, ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ। ପରେ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ସିଟି ଜିଏସଟି ବିଭାଗ ଘଟଣାସ୍ଥଳରେ ପହଞ୍ଚି ମାଲ ଯାଞ୍ଚ କରିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ମାଲ ବୋଝେଇ ଡମ୍ପରକୁ ଅଟକାଇବା ସହିତ ଅନ୍ୟ ଗାଡି ଗୁଡିକୁ ଛାଡି ଥିବା ଜଣାପଡିଛି।
