ଗର୍ବର ସଂଗ୍ରହାଳୟ ହେବାକୁ ଥିଲା, ହେଲା ଭୂତକୋଠୀ!ଯାଜପୁର ମ୍ୟୁଜିଅମ୍ରେ ପ୍ରଶାସନିକ ଅବହେଳା ଚରମରେ
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ଆଙ୍କର୍: ଯାଜପୁର ସହରରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଜିଲ୍ଲା ସଂଗ୍ରହାଳୟ ଆଜି ଯାଜପୁରବାସୀଙ୍କ ପାଇଁ ଗର୍ବର ପ୍ରତୀକ ହେବାର ସ୍ଥାନରେ ପ୍ରଶାସନିକ ଅବହେଳାର ଜ୍ୱଳନ୍ତ ଉଦାହରଣ ହୋଇଯାଇଛି। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ମ୍ୟୁଜିଅମ୍ ଏଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇନି। ଫଳରେ ଏହା ଏବେ ଧୀରେଧୀରେ ଭୂତକୋଠୀରେ ପରିଣତ ହେଉଛି।ମ୍ୟୁଜିଅମ୍ ପରିସରରେ ଖଞ୍ଜାଯାଇଥିବା ମୂଲ୍ୟବାନ ପଥର ଓ ନିର୍ମାଣ ସାମଗ୍ରୀ ଖସିଲାଣି। କେଉଁଠି ପଥର ଭାଙ୍ଗିଛି, କେଉଁଠି ଚାରିପାଖେ ଜଙ୍ଗଲି ଘାସ ଓ ଅବଞ୍ଛିତ ଗଛ ମୁଣ୍ଡ ଉଠାଇଛି।ଏଠାରେ ଆଉ ଏକ ଚିନ୍ତାଜନକ ଦୃଶ୍ୟ—ମ୍ୟୁଜିଅମ୍ ଭିତରେ ଓ ମୁଖ୍ୟ ଗେଟ୍ ସାମ୍ନାରେ ଗଦା ଗଦା ମଦ ବୋତଲ। ଏହା ସ୍ପଷ୍ଟ କରୁଛି ଯେ, ସଂଗ୍ରହାଳୟ ଏବେ ନିଶାଡି ଓ ଅସାମାଜିକ ତତ୍ତ୍ୱଙ୍କ ଅଡ୍ଡାରେ ପରିଣତ ହୋଇଯାଇଛି। ସୁରକ୍ଷା ନଥିବାରୁ ସରକାରୀ ସମ୍ପତ୍ତି ଧୀରେଧୀରେ ଧ୍ୱଂସ ହେଉଛି।ମ୍ୟୁଜିଅମ୍ ପରିସରରେ ଥିବା ବଡ଼ ବରଗଛ ଭାଙ୍ଗି ପଡିଥିଲେ ମଧ୍ୟ ଦୀର୍ଘ ଦିନ ଧରି ସଫା କରାଯାଇନି। ଏହା ଯେକୌଣସି ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ଏପରି ସ୍ଥିତି ପ୍ରଶାସନର ଦାୟିତ୍ୱହୀନତାକୁ ପ୍ରଶ୍ନର ସାମ୍ନାକୁ ଆଣୁଛି।
ପବ୍ଲିକ୍ ରିଆକ୍ସନ : ଯାଜପୁର ଭଳି ଐତିହ୍ୟଶାଳୀ ଜିଲ୍ଲାରେ ଏମିତି ଏକ ସଂଗ୍ରହାଳୟ ପଡି ରହିବା ଦୁଃଖଦ। ସରକାର ଓ ପ୍ରଶାସନ ତୁରନ୍ତ ଏହା ଖୋଲିବା ଦରକାର।ସଂଗ୍ରହାଳୟ କେବଳ ଇଟା -ସିମେଣ୍ଟର ଗଢ଼ା ନୁହେଁ, ଏହା ହେଉଛି ଯାଜପୁରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବାର ଏକ ମାଧ୍ୟମ। କିନ୍ତୁ ଆଜି ସେହି ଐତିହ୍ୟ ପ୍ରଶାସନିକ ଅବହେଳାରେ ନଷ୍ଟ ହେବାର ଆଶଙ୍କାରେ।
ଏଠାରେ ପ୍ରଶ୍ନ ଗୋଟିଏ —ଜିଲ୍ଲା ପ୍ରଶାସନ କେବେ ଚେତିବ? କେବେ ମ୍ୟୁଜିଅମ୍ ସାଧାରଣ ଲୋକଙ୍କ ପାଇଁ ଖୋଲିବ? ଯାଜପୁରବାସୀଙ୍କ ଦାବି—ତୁରନ୍ତ ସୁରକ୍ଷା ବ୍ୟବସ୍ଥା, ସଫାସୁଫାଇ ଓ ଉଦଘାଟନ। ନହେଲେ ଇତିହାସ ସାକ୍ଷୀ ରହିବ—ଗର୍ବର ସଂଗ୍ରହାଳୟ କିପରି ପ୍ରଶାସନିକ ଅବହେଳାରେ ଭୂତକୋଠୀରେ ପରିଣତ ହୋଇଗଲା।
