ଡିଜିଟାଲ ଯୁଗରେ ସ୍ମୃତି ହୋଇଛି ଗ୍ରୀଟିଙ୍ଗସ୍ କାର୍ଡ
ଦଶରଥପୁର(ଭଞ୍ଜଦୂତ ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଗୋଟେ ସମୟ ଥିଲା, ପର୍ବପର୍ବାଣି, ଜନ୍ମଦିନ, ବିବାହ, ନୂଆବର୍ଷ କିମ୍ବା ପରୀକ୍ଷାର ସଫଳତା ଏସବୁ ଅବସରରେ ଘରେ ଡାକବାଲା ଆସିଲେ ମନ ଉତ୍ସାହରେ ଭରିଯାଉଥିଲା। ହାତରେ ଧରାଯାଇଥିବା ସେଇ ରଙ୍ଗୀନ ଗ୍ରୀଟିଙ୍ଗସ୍ କାର୍ଡ କେବଳ କାଗଜ ନୁହେଁ, ସେ ଥିଲା ଗୋଟିଏ ଭାବନା, ସମ୍ପର୍କ ଓ ସ୍ନେହର ଚିହ୍ନ।ଆଜି ସ୍ମୃତି ସାଜିଛି, ଡିଜିଟାଲ ଯୁଗ ଆସିବା ପରେ ଶୁଭେଚ୍ଛାର ଭାଷା ବଦଳିଗଲା। ଗୋଟେ ସମୟରେ ଯେଉଁ ଶୁଭେଚ୍ଛା ଦେବା ପାଇଁ ଲୋକେ କାର୍ଡ ଦୋକାନ ଖୋଜୁଥିଲେ, ଆଜି ସେହି କାମ ଗୋଟିଏ ବଟନ୍ରେ ସମାପ୍ତ ହୋଇଯାଉଛି।କାଗଜରୁ ସ୍କ୍ରିନ୍କୁ ଶୁଭେଚ୍ଛା ,ପୂର୍ବେ କାର୍ଡ କିଣିବା ପାଇଁ ଲୋକେ ସହରର ମୁଖ୍ୟ ବଜାରକୁ ଯାଉଥିଲେ। ହସନ୍ତା ମୁହଁର ଛବି, ଫୁଲ, ଦୀପ, ଦେବଦେବୀଙ୍କ ଚିତ୍ର ସେସବୁ ମଧ୍ୟରୁ ଠିକ୍ କାର୍ଡ ଚୟନ କରିବା ମଧ୍ୟ ଥିଲା ଗୋଟିଏ ଖୁସିର ମୁହୂର୍ତ୍ତ। ତା’ପରେ ନିଜ ହସ୍ତାକ୍ଷରରେ ଦୁଇଟି ମନର କଥା ଲେଖି, ଖାମରେ ରଖି, ଠିକଣା ଲେଖି, ଡାକଘରକୁ ଦେବା ଏ ସବୁ ପଛରେ ଥିଲା ଧୈର୍ଯ୍ୟ, ଭାବନା ଓ ଅପେକ୍ଷା। ସେଇ ସବୁ ପ୍ରକ୍ରିୟା କରିବା ସମୟରେ ଆମେ ଆମର ପ୍ରିୟର ବନ୍ଧୁ କୁ ମନ ଭିତରେ ଭାବିଥାଉ। ତାଙ୍କ ଛବି ଆମ ଆଖି ସାମ୍ନାରେ ଝଲସି ଉଠେ।
ଆଜି ସେଇ ସମସ୍ତ ପ୍ରକ୍ରିୟା ଗୋଟିଏ ମୁହୂର୍ତ୍ତରେ ସରିଯାଉଛି! ସମୟ ଆଞ୍ଚଳିକ ଭାବେ ବଞ୍ଚୁଛି, କିନ୍ତୁ ଭାବନା ସଂକୁଚିତ ହୋଇଯାଉଛି।
ଡାକବାଲା ର ଭୂମିକା ଧୀରେଧୀରେ ଲୁପ୍ତ ହୋଇଯାଇଛି। ଗ୍ରୀଟିଙ୍ଗସ୍ କାର୍ଡ ଆସିଲେ ପିଲାମାନେ ପ୍ରଥମେ ଖୋଲୁଥିଲେ, ଭିତରର ଛବି ଓ ଲେଖା ଦେଖୁଥିଲେ।ଆଜି ଡାକବାଲାଙ୍କ ପାଖରେ ଅଧିକାଂଶ ସରକାରୀ କାଗଜ ବା ବ୍ୟାଙ୍କ ସୂଚନା ଛଡା ଆଉ କିଛି ନଥାଏ। ଗ୍ରୀଟିଙ୍ଗସ୍ କାର୍ଡ ଆଉ ପ୍ରାୟ ଦେଖାଯାଉନି।
କାର୍ଡ ଦୋକାନ ଖାଲି, ସ୍ମୃତି ଭର୍ତ୍ତି
ଗତ ଦଶକ ପର୍ଯ୍ୟନ୍ତ ସହରରେ ରହିଥିବା ଅନେକ ଗ୍ରୀଟିଙ୍ଗସ୍ କାର୍ଡ ଦୋକାନ ଆଜି ବନ୍ଦ ହୋଇଯାଇଛି। ଦୋକାନୀମାନେ କହୁଛନ୍ତି “ଏବେ କାହାର ଆଉ ଧୈର୍ଯ୍ୟ ନାହିଁ କାର୍ଡ କିଣି ଦେବାର। ସବୁ ମୋବାଇଲ୍ରେ।”ଅନ୍ୟପଟେ, ବୃଦ୍ଧମାନେ କହୁଛନ୍ତି— “ଗ୍ରୀଟିଙ୍ଗସ୍ କାର୍ଡ ଦେଲେ ସେଥିରେ ମନର ସ୍ପର୍ଶ ଥାଏ” ।ଫୋନ୍ ମେସେଜ୍ ଆସି ଗଲା।ସୁବିଧା ବଢ଼ିଲା, ଆତ୍ମୀୟତା କମିଲା ! ନିଶ୍ଚୟ, ଡିଜିଟାଲ ଯୁଗ ଆମକୁ ସୁବିଧା ଦେଇଛି ଦୂରେ ଥାଇ ମଧ୍ୟ ମୁହୂର୍ତ୍ତରେ ଶୁଭେଚ୍ଛା ପହଞ୍ଚିଯାଉଛି। କିନ୍ତୁ ପ୍ରଶ୍ନ ହେଉଛି ସେଇ ଶୁଭେଚ୍ଛାର ମୂଲ୍ୟ କେତେ ?
ଗୋଟିଏ ଗ୍ରୀଟିଙ୍ଗସ୍ କାର୍ଡକୁ ଆମେ ବର୍ଷର ପରେ ବର୍ଷ ସମ୍ଭାଳି ରଖିପାରୁ। ଆଜି ମୋବାଇଲ୍ ମେସେଜ୍ କାଲି ଡିଲିଟ୍ ହୋଇଯାଏ। କାଗଜର ସ୍ମୃତି ଦୀର୍ଘସ୍ଥାୟୀ, ଡିଜିଟାଲ ସ୍ମୃତି ଅସ୍ଥାୟୀ।ଆଉ ଫେରିବ କି ସେଇ ପୁରୁଣା ପରମ୍ପରା? ବର୍ତ୍ତମାନ ଯୁବପିଢ଼ି ହୁଏତ ଗ୍ରୀଟିଙ୍ଗସ୍ କାର୍ଡର ମୂଲ୍ୟ ଅନୁଭବ କରୁନାହାନ୍ତି। କିନ୍ତୁ ଯଦି ଗୋଟିଏ ଛୋଟ ପ୍ରୟାସ କରାଯାଏ ଜଣେ ପ୍ରିୟ ମଣିଷକୁ ଗୋଟିଏ ହାତରେ ଲେଖା କାର୍ଡ ଦିଆଯାଏ ତେବେ ସେ ଖୁସି ନିଶ୍ଚୟ ମୋବାଇଲ୍ ମେସେଜ୍ ଠାରୁ କେତେଗୁଣ ଅଧିକ ହେବ।ଡିଜିଟାଲ ଯୁଗ ଆମକୁ ଗତି ଦେଇଛି, ସୁବିଧା ଦେଇଛି, କିନ୍ତୁ ସେ ସହିତ କିଛି ସୁନ୍ଦର ସମ୍ପର୍କର ପରମ୍ପରା , ଆତ୍ମୀୟତା , ହୃଦୟର ସ୍ପର୍ଶ ଆମ ଠାରୁ ଚୁପଚାପ ଦୂରେଇ ଦେଉଛି। ଗ୍ରୀଟିଙ୍ଗସ୍ କାର୍ଡ ସେହି ପରମ୍ପରାର ଗୋଟିଏ ଜୀବନ୍ତ ଉଦାହରଣ।ଆଜି ଯଦି ଆମେ ପୁଣିଥରେ ଗୋଟିଏ କାଗଜର କାର୍ଡରେ ମନର କଥା ଲେଖି କାହାକୁ ଦେଇପାରିବା, ତେବେ ହୁଏତ ଡିଜିଟାଲ ଯୁଗ ମଧ୍ୟରେ ମାନବିକତାର ଗୋଟିଏ ନୂଆ ପ୍ରଭାତ ଆସିପାରିବ।
