ଅବକାରୀ ବିଭାଗ ର ଚଢ଼ାଉ, ଦେଶୀମଦ ଜବତ ସହ ତିନି ଗିରଫ
ସୋର, (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋର ଅବକାରୀ ବିଭାଗ ତରଫରୁ କୁରୁଣିଆ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ଆଦର୍ଶ ଅବକାରୀ ଥାନା। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏକ ଟିମ ସହ ମଧୁସୂଦନପୁର ପଞ୍ଚାୟତ କୁରୁଣିଆ ଗ୍ରାମରେ ଚଢ଼ାଉ କରି ରତ୍ନାକର ଦାସ ନିକଟରୁ ୯୦ ଲିଟର ଦେଶୀମଦ, ଡଗରା ଗ୍ରାମର ଟିକମ ସିଂ ନିକଟରୁ ୩୫ ଲିଟର ଏବଂ ସବିରା ପଞ୍ଚାୟତ ତପିସା ଗ୍ରାମର ସାବିତ୍ରୀ ସାହୁ ନିକଟରୁ ୮୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ବସନ୍ତ କୁମାର ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ, ମିନତୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ।
