*ମାଁ’ ଭୈରବୀ ମହୋତ୍ସବ ଉଦଯାପିତ
*ଭୈରବୀ ମହୋତ୍ସବ ଜାତୀୟସ୍ତରୀୟ ମହୋତ୍ସବ ହେବ: ସରୋଜ
*ସ୍ବଦେଶୀ ଦ୍ରବ୍ୟର ବ୍ୟବହାର କରନ୍ତୁ: କହ୍ନେଇଁ
*ବୌଦ୍ଧ ମାଟି କଳା ଓ ସଂସ୍କୃତିର ମାଟି: ଜିଲ୍ଲାପାଳ
ହରଭଙ୍ଗା,(କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକସ୍ଥିତ ମିନି ଷ୍ଟାଡିଅମଠାରେ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ୫ମ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀମେଳା- ୨୦୨୫ ଉଦଯାପିତ ହୋଇଯାଇଛି l ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ରାଜ୍ୟସ୍ତରୀୟ ଭୈରବୀ ମହୋତ୍ସବ ଆଗାମୀ ଦିନରେ ଜାତୀୟସ୍ତରୀୟ ମହୋତ୍ସବ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, କନ୍ଧମାଳ ସାଂସଦଙ୍କ ବୌଦ୍ଧ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ଯୁବ ସମାଜସେବୀ ଅର୍ଜୁନ ସାହୁ, ମହୋତ୍ସବ କମିଟି ସମ୍ପାଦକ ଅଶୋକ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ l କଣ୍ଟାମାଳ ବିଧାୟକ ବିଦେଶୀ ଦ୍ରବ୍ୟର ବର୍ଜନ ତଥା ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l ମହୋତ୍ସବ କମିଟିର ଅଧ୍ୟକ୍ଷ ଅଶୋକ କୁମାର ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିବା ବେଳେ କୈଳାଶ ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ l ସମ୍ପାଦକ ଅଶୋକ ସେଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଶିକ୍ଷାବିତ ରମେଶ ଚନ୍ଦ୍ର ତାରେଣୀଆଁ ସଭା ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚକୁ ଅର୍ଚ୍ଚିତା ପାଢ଼ୀ ପରିଚାଳନା କରିଥିଲେ l ପୁରୁଣାକଟକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ “ହେ ପୂଜ୍ୟ ଅତିଥି ଘେନ ଆମ ବିନତି” ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ସଭା କାର୍ଯ୍ୟ ପୂର୍ବରୁ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚାରିଛକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ପୁରୁଣାକଟକ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥିମାନେ ପୁଷପୁନି ନୃତ୍ୟ ପରିବେଷଣ କରିଥିଲେ l ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରଣାମ ଅନୁଷ୍ଠାନ ଦ୍ୱାରା ଆଦିବାସୀ ନୃତ୍ୟ ଏବଂ ଡାଲଖାଇ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା l ଅଭିନେତ୍ରୀ ସନ୍ମାନୀତାଙ୍କ ଚମତ୍କାର ନୃତ୍ୟ ତଥା ଅଭିନୟରେ ଦର୍ଶକଙ୍କୁ ବିମୋହିତ କରିଥିଲା l ସଭା କାର୍ଯ୍ୟ ପରେ ଶେଷରେ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଗ୍ରୁପ (ମେଲୋଡି) ପରିବେଷଣ କରିଥିଲେ l
