
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଂଚଳିକ ମହିଳା ସମାବେଶ
କେନ୍ଦୁଝର, ୯/୩/୨୫: ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଶାନ୍ତି ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ, କୁଆଝରଣ ର ମିଳିତ ଆନୁକୂଲ୍ୟରେ ଜ୍ଞାନବିଜ୍ଞାନ ବିଦ୍ୟାମନ୍ଦିର କୁଆଝରଣଠାରେ ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଆଂଚଳିକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦିକା ସୁଶ୍ରୀ ଶର୍ମିଷ୍ଠା ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସେ କହିଲେ ଭାରତୀୟ ସଂସ୍କୃତିରେ ତଥା ଜଗନ୍ନାଥ ସଂସ୍କୃତିରେ ନାରୀମାନେ ଚିର ବନ୍ଦନୀୟା । ନାରୀଙ୍କୁ ସମ୍ମାନ ଆମ ପରମ୍ପରାରେ ରହିଛି । କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷା ଅଧିବକ୍ତା ସୁଶ୍ରୀ ଜଗଜିତା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀମାନଙ୍କର ସୁରକ୍ଷା ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ରହିଛି ବୋଲି କହିଥିଲେ । ମହିଳା ମାନଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ-୨୦୦୫, କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା(ନିରୋଧ,ପ୍ରତିବନ୍ଧନ ଓ ପ୍ରତିକାର) ଆଇନ-୨୦୧୩,ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬,ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ-୨୦୧୨,ଶିକ୍ଷା ଅଧିକାର ଆଇନ-୨୦୦୯ ଓ ମହିଳା,ଶିଶୁ,ଭିନ୍ନକ୍ଷମ,ଆଦିବାସୀ ଓ ହରିଜନ ମାନଙ୍କ ପାଇଁ ମାଗଣା ଆଇନ ସେବା ବା ସାହାଯ୍ୟ କରିବାକୁ ବ୍ୟବସ୍ଥା ରହିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡାକ୍ତର ପ୍ରସନ୍ନ ମୁଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ଗୋପାଳ,ଚାଗଳ ପାଳକ,କୁକୁଡା ପାଳନ,ଘାସ ଚାଷ ବିଷୟରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସମାଜସେବୀ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ଟ୍ରଷ୍ଟି ଭକ୍ତବତ୍ସଳ ମହାନ୍ତି ଲକ୍ଷପତି ଯୋଜନା,ବନଧନ ଯୋଜନା,ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ମହିଳାମାନଙ୍କୁ ସ୍ୱାବଲମ୍ବନ ହେବା ବିଷୟରେ ବୁଝାଇଥିଲେ । ପିଟାପିଟି,ଜାମୁଯୋଡି,ମନୋହରପୁର,ଜିରାଙ୍ଗ,କୁଣ୍ଡଳପାଣି,ତମ୍ବାହରା,ଟାଙ୍ଗରପଡା,ସରଧାପଶି ଗ୍ରାମରୁ ୫୦ରୁ ଉଦ୍ଧ୍ୱର୍ ନାରୀ ପ୍ରତିନିଧି ଯୋଗ ଦେଇଥିଲେ । ସମାଜସେବୀ ରୁଦ୍ର ନାରାୟଣ ଲୋହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମଦମୁକ୍ତ ଗ୍ରାମ ଗଠନ ପାଇଁ ସୁଶ୍ରୀ ଶର୍ମିଷ୍ଠା ମହାନ୍ତି ଗଣ ଶପଥ କରାଇଥିଲେ