ମାଟିଆବେଡ଼ା ଆଶ୍ରମ ସ୍କୁଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
———————————
(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ଝାରପୋଖରିଆ ଥାନା ଅନ୍ତର୍ଗତ ମାଟିଆବେଡ଼ା ଆଶ୍ରମ ସ୍କୁଲର ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ ମାଟିଆବେଡ଼ା ଆଶ୍ରମ ସ୍କୁଲର ଛାତ୍ର ସାରସକଣା ବ୍ଳକ ଅନ୍ତର୍ଗତ ନୋଟା ଗ୍ରାମର ସୋମନାଥ ସିଂଙ୍କ ପୁଅ ସାଗର (ବୟସ ୧୧) ଗତ ବୁଧବାର( ୧୯/୧୧)ଅପରାହ୍ନ ପ୍ରାୟ ୧.୩୦ ମି.ରେ ହଠାତ୍ ବିଦ୍ୟାଳୟରେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ବିଦ୍ୟାଳୟର ଶିକ୍ଷକ ମାନେ ସାଗରକୁ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ,କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଶୀର୍ଷା ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଝାରପୋଖରିଆ ପୋଲିସ, ସାରସକଣା ବ୍ଲକର ଅତିରିକ୍ତ ତହସିଲଦାର,ବ୍ଲକ ଡ଼ବ୍ଲ୍ୟୁଇଓ କଢ଼ାଇ ଟୁଡୁ ପ୍ରମୁଖ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରାଇବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା|ତତ୍ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା।ଏହି ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମ ଚନ୍ଦ୍ର ଦତ୍ତ କହିଛନ୍ତି ଯେ, ଆଜି(ବୁଧବାର) ସକାଳୁ ସାଗର ଥଣ୍ଡା ଓ କାଶରେ ପୀଡ଼ିତ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଝାରପୋଖରିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯିବା ସହିତ ସେଠାରୁ ଔଷଧ ନେଇ ଖାଇଲା ପରେ ମଧ୍ୟାହ୍ମଭୋଜନ ଖାଇ ସାଗର ବିଶ୍ରାମ ନେଇଥିଲେ। କିଛି ସମୟ ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଶିର୍ଷା ଡ଼ାକ୍ତରଖାନାକୁ ନେଇ ଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଝାରପୋଖରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଏହାର ତଦନ୍ତ କରୁଛି । ଭଞ୍ଜଦୂତ ଖବର।
