ଜଗଦଳପୁର ରେଳ ଫାଟକ ବନ୍ଦ୍ କରାଯିବା ନିମନ୍ତେ ମିଳିତ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ
ଡେଲାଙ୍ଗ, -ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡ ଅଧୀନ ପିଡିକେ ରାସ୍ତା ତଥା ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ଓ କଣାସରୋଡ଼ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ରେଳ ଫାଟକଟିକୁ ସ୍ଥାୟୀ ଭାବେ ବନ୍ଦ୍ କରିବା ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି,ଗ୍ରାମବାସୀ,ତହସିଲ୍ ପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସଂକ୍ରାନ୍ତରେ ଡେଲାଙ୍ଗ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ,ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ,ସମିତି ସଭ୍ୟା ସବିତା ରାଉତରାୟ ଓ ୬ ନମ୍ବର୍ ୱାର୍ଡ ସଭ୍ୟା ପୂଜା ସାମନ୍ତରାୟଙ୍କୁ ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୬୦୨୦/୨୫ ଜରିଆରେ ତହସିଲଦାର ଗତ ୧୦ ତାରିଖରେ ଅବଗତ କରିଥିବା ବେଳେ ଆଜି ଉକ୍ତ ରେଳ ଫାଟକ ପରିସର ଯାଞ୍ଚ୍ କରାଯାଇ ଉଡନ୍ତା ପୋଲ କାର୍ଯ୍ୟ ସମାପ୍ତ ହେବା ପରେ ଏହି ରେଳ ଫାଟକଟିକୁ ସ୍ଥାୟୀ ଭାବେ ବନ୍ଦ୍ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ସୂଚନା ଅନୁଯାୟୀ ଏହି ମାନବଯୁକ୍ତ ଲେଭଲ୍ କ୍ରସିଂ ବନ୍ଦ୍ କରିବା ପ୍ରସ୍ତାବର ସମ୍ଭାବ୍ୟତା ସମ୍ପର୍କରେ ମିଳିତ ଯାଞ୍ଚ୍ କରିବା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ରେଳ ବିଭାଗ ଅଧିକାରୀଙ୍କ ସମେତ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ରାଜସ୍ବ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ,ବ୍ଲକ୍ ଅଧ୍ୟକ୍ଷା ତଥା ଗ୍ରାମବାସୀମାନେ ଜଗଦଳପୁର ରେଳ ଫାଟକ ସ୍ଥାନରେ ପହଞ୍ଚି ଉଡନ୍ତା ପୋଲ କାର୍ଯ୍ୟ ସମାପ୍ତ ହେବା ପରେ ଏହାକୁ ବନ୍ଦ୍ କରାଯିବା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଆଲୋଚନା କରିବା ସହ ସରଜମିନ କାର୍ଯ୍ୟ ତଥା ଯାଞ୍ଚ୍ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ।ତେବେ ଯାଞ୍ଚ୍ କାର୍ଯ୍ୟ ସମାପ୍ତ ହେବା ପରେ ଏହି ରେଳ ଫାଟକଟିକୁ ବନ୍ଦ୍ କରିବା ପାଇଁ ଜିଲ୍ଲାପାଳ,ପୁରୀଙ୍କ ସହମତି ଓ ଅନୁମୋଦନ ପାଇଁ ଏହି ମିଳିତ ସରଜମିନ୍ ତଦନ୍ତ ଓ ଯାଞ୍ଚ୍ ବିବରଣୀ ପ୍ରେରଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ଯ ସୂଚନା ଦେଇଛନ୍ତି।
