କ୍ରୀଡାରେ ଓଏଭି ତାଳଚେର ଛାତ୍ରଛାତ୍ରୀଙ୍କ ସଫଳତା ।
ଚେସରେ ବିଧିପ୍ରଜ୍ଞା ଓ ବ୍ୟାଡମିଣ୍ଟନରେ ଏମଡି ଫରହାନ ଚମ୍ପିୟାନ ।
ତାଳଚେର (ନିପ୍ର):
ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଜିଲ୍ଲା ବିଦ୍ୟାଳୟ ସମୂହ ଚେସ,ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହୁଲପାଳ,ତାଳଚେରର ଛାତ୍ରଛାତ୍ରୀ ମାନେ ଚମ୍ପିୟାନ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟରୁ ଆସିଥିବା ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା କନିଷ୍ଠ ଓ ବରିଷ୍ଠ ବିଭାଗକୁ ନେଇ ଅନୁଗୁଳ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଏଭି ତାଳଚେରର କନିଷ୍ଠ ବିଭାଗ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଏମଡ଼ି ଫରହାନ ବ୍ୟାଡମିଣ୍ଟନ ଓ ବିଧିପ୍ରଜ୍ଞା ପୃଷ୍ଟି ଚେସରେ ଚମ୍ପିୟାନ ହୋଇ ସିଧାସଳଖ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୁଭଶ୍ରୀ ମହାନ୍ତି ବିଜ୍ଞାନ ସେମିନାରରେ ଦିତୀୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ଅଧ୍ୟକ୍ଷ, ଖେଳ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନ ରହିଛି ।
