ଚୋରା ବାଲି ଓ ପଥର ବୋଝେଇ ଡମ୍ଫର ଜବତ।
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): କିଛି ଦିନ ବ୍ୟବଧାନ ପରେ ଆକ୍ସନ ମୋଡ଼ ରେ ସୋର ତହସିଲଦାର। ୨ଟି ବେଆଇନ ଡମ୍ପର ଜବତ। ଆଜି ସକାଳେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ପୁଲିସ ସହଯୋଗରେ ରାସ୍ତାରେ ଯାଉଥିବା ବାଲି ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ତଳନଗର ରେଳ ଓଭରବ୍ରିଜ ନିକଟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଓଡି ୨୨ ଏବି ୯୭୦୫ ନମ୍ବର ବିଶିଷ୍ଟ ବାଲି ବୋଝେଇ ଗାଡିକୁ ଅଟକାଇବା ପରେ ଏଥିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଜାଣିପାରି ଗାଡିକୁ ଜବତ କରିଥିଲେ। ସେହିପରି ମାଣତ୍ରି ଛକ ନିକଟରେ ବାଗୁଡି ପଥର ଖାଦାନରୁ ବେଆଇନ ଭାବେ ପଥର ବୋଝେଇ କରି ଆସୁଥିବା ଓଡି ୧୧ ଜି ୯୦୯୬ ନମ୍ବର ବିଶିଷ୍ଟ ଡମ୍ଫରକୁ ଜବତ କରିଥିବା ବେଳେ ଏହାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଜବତ ଗାଡିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଗାଡିଗୁଡିକ ସୋର ଥାନା ପରିସରରେ ରଖାଯାଇଛି। ଚଢ଼ାଉ ହେଉଥିବା ଜାଣିପାରି ଅନେକ ଗାଡି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।
