*”ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ”* ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ।
ଓଡ଼ିଆ ଭାଷା ବିକାଶ ପରିଷଦ, କରଞ୍ଜିଆ ଆନୁକୁଲ୍ୟରେ ସ୍ଥାନୀୟ ମଧୁ ବାରିଷ୍ଟର୍ ନିକଟରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ୧୪୯ତମ ଜୟନ୍ତୀ ପାଳିତ ହେବା ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ନାମକ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଆବାହକ ତଥା ଆଇନଜୀବି ଶ୍ରୀ ସଞ୍ଜୟ କୁମାର ସାହୁ ସଭାର ସଭାପତିତ୍ବ କରିଥିଲେ ।ମୁଖ୍ୟବକ୍ତା ଭାବରେ ଲେଖକ ଶ୍ରୀ ହରେକୃଷ୍ଣ ମହାନ୍ତ ଓ ମୁଖ୍ୟ ଅତିଥି ଭାବରେ ଶ୍ରୀ ଭରତ ଚନ୍ଦ୍ର ଦାଶ (ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ଗବେଷକ) ନିଜ ନିଜର ବକ୍ତବ୍ୟରେ ଗୋପବନ୍ଧୁ ଦାସଙ୍କ ବିଷୟରେ ଅନେକ ଅନାଲୋଚିତ ପୃଷ୍ଠା ଆଲୋଚନା କରିଥିଲେ ! ଗୋପବନ୍ଧୁ ଦାସ; ମୟୂରଭଞ୍ଜ ର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କର ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ଥାଇ ଜନ ସାଧାରଣଙ୍କୁ ଠିକ୍ ସମୟରେ ଉଚିତ୍ ନ୍ୟାୟ ଦେବା ସହିତ ମୟୂରଭଞ୍ଜ ରାଜ୍ୟର ପ୍ରଜା ମାନଙ୍କର ହିତ ପାଇଁ ଲଢେଇ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜନ ସାଧାରଣଙ୍କୁ ଉଦବୋଧନ ମଧ୍ୟ ଦେଉଥିଲେ । ସେତେବେଳର ମୟୂରଭଞ୍ଜ ରାଜ୍ୟର ଅବିଭକ୍ତ ଓ ଅବିଛିନ୍ନ ଅଞ୍ଚଳ ତଥା ସ୍ବାଧୀନତା ପରବର୍ତ୍ତୀ ସମୟରେ ବିଭକ୍ତ ଓ ବିଛିନ୍ନ ହୋଇ ଗଢି ଉଠିଥିବା ଉତ୍କଳ(ଓଡ଼ିଶା) ପ୍ରଦେଶର ବିଚ୍ଛିନ୍ନାଞ୍ଚଳ ଷଢେ଼ଇକଳା ଓ ଖରସୁଆଁ(ସିଂହଭୂମ୍)ରେ ମଧ୍ୟ ପଣ୍ଡିତ ଗୋପବନ୍ଧୁ ଦାସ୍ ତାଙ୍କରି ତ୍ୟାଗ,ସେବା, ସମର୍ପଣ ଓ ମାନବବାଦୀ ଚିନ୍ତାଧାରା ପାଇଁ ସେ ବହୁତ ଲୋକପ୍ରିୟ ହୋଇଥିଲେ !ସେହି ବିଛିନ୍ନାଞ୍ଚଳରେ ଏବେବି ତାଙ୍କରି ପ୍ରତିମୂର୍ତ୍ତି ଓ ଲୋକପ୍ରିୟତା ଦେଖିବାକୁ ମିଳେ । ତେବେ ଗୋପବନ୍ଧୁ ଦାସ ପ୍ରାୟ ଅଢେ଼ଇ ବର୍ଷ କାଳ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ଥିଲେ ଓ ମହାରାଜାଙ୍କର ମୃତ୍ୟୁ ପରେ ସେ ମୟୂରଭଞ୍ଜ ରାଜ୍ୟ ଛାଡି କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ତାପରେ ଉତ୍କଳ ପ୍ରଦେଶରେ ଆଦର୍ଶ ଛାତ୍ରଛାତ୍ରୀ ତଥା ଆଦର୍ଶ ନାଗରିକ ଗଠନ ପାଇଁ ପୁରୀର ସାକ୍ଷୀଗୋପାଳରେ “ସତ୍ୟବାଦୀ ବନବିଦ୍ୟାଳୟ” ର ସ୍ଥାପନା କରିବା ଆଦି ମହାନ୍ କାର୍ଯ୍ଯ ପାଇଁ ଚାଲି ଯାଇଥିଲେ ।ଗୋପବନ୍ଧୁଙ୍କ ବାରିପଦାସ୍ଥିତ ବାସଭବନରେ ଏବେ ମଧ୍ୟ ତାଙ୍କରି ସ୍ମୃତିକୁ ସମ୍ମାନର ସହିତ ରଖା ଯାଇଅଛି ।ତେବେ ସଭାରେ ସମାଜସେବୀ ସିଦ୍ଧାର୍ଥ ରାୟ, ରୋଟାରୀ ଓକିଲ ଶ୍ରୀ ଗୈ।-ରାଙ୍ଗ ଚନ୍ଦ୍ର ବାରିକ୍, ବିଶିଷ୍ଟ ଚିତ୍ରଶିଳ୍ପୀ କଥାକାର ଶ୍ରୀ ଦୁଃଶାସନ ମହାନ୍ତ,ପରିମଳ ବେହେରା,ଓକିଲ ନିର୍ମଳ ସେଠୀ ଓ ଡମ୍ବୁରୁଧର ପୃଥାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ତେବେ ଉତ୍କଳର ମଣୀ ଗୋପବନ୍ଧୁ ଦାସଙ୍କ ସମ୍ମାନ ଉଦ୍ଦେଶ୍ୟରେ ଓଡ଼ିଶାର ସମସ୍ତ ସ୍କୁଲ୍, କଲେଜ୍ ଓ ସରକାରୀ ଅନୁଷ୍ଠାନ ମାନଙ୍କରେ ଗୋପବନ୍ଧୁ ଦାସଙ୍କର ତ୍ୟାଗମୟ ଜୀବନାଦର୍ଶକୁ ଉଚିତ୍ ଢଙ୍ଗରେ ପାଳନ କରାଯାଉ ବୋଲି ଦାବି ହୋଇଥିଲା ! ପରିଶେଷରେ ଯୁବ ସମାଜସେବୀ ଓ ମାନବବାଦୀ ଶ୍ରୀ ସଚ୍ଚିଦାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
