ଗଜପତି (ଟିକି ଲିମା) : ଓଡ଼ିଶା ସରକାରଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ. ସୁରେଶ ପନ୍ଥ ପାରଳାଖେମୁଣ୍ଡି ବନଖଣ୍ଡକୁ ଦୁଇଦିନିଆ ଗସ୍ତରେ ଆସି ବନଖଣ୍ଡ ଅଧୀନରେ ରହିଥିବା ବିଭିନ୍ନ ବନାଞ୍ଚଳ ଅଧିନସ୍ଥ ବୃକ୍ଷରୋପଣ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ବିଭିନ୍ନ ବୃକ୍ଷରୋପଣ କ୍ଷେତ୍ର ଗୁଡ଼ିକରେ ରୋପିତ ହୋଇଥିବା ବୃକ୍ଷ ଗୁଡ଼ିକୁ ସଠିକ୍ ଭାବରେ ତଦାରଖ କରାଯାଉଛି ନା ନାହିଁ ତନ୍ନ ତନ୍ନ ପରଖି ଥିଲେ। ବୃକ୍ଷ ଗୁଡ଼ିକର ଉତ୍ତମ ଯତ୍ନ ନିଆଯାଉଥିବା ସମ୍ବନ୍ଧେ ଅବଗତ ହୋଇ ଖୁସିବ୍ୟକ୍ତ କରିବା ସାଥେ ସାଥେ ଆଗାମୀ ଦିନ ଗୁଡ଼ିକରେ ଏହାର ସଠିକ୍ ତଦାରଖ କରିବା ସହ ବିଭିନ୍ନ ଅର୍ଥକାରୀ ବୃକ୍ଷରୋପଣ ନିମନ୍ତେ ପରାମର୍ଶ ଦେଇଥିଲେ। ଐତିହାସିକ ମହେନ୍ଦ୍ରଗିରି ପର୍ବତ ପରିଦର୍ଶନ କରି ସେଠି ଜାରି ରହିଥିବା ପର୍ଯ୍ୟଟନର ବିକାଶ ସମ୍ବନ୍ଧରେ ଜାଣି ଖୁସିବ୍ୟକ୍ତ କରିଥିଲେ। ସେଠି ଦୁଇଗୋଟି ରୁଦ୍ରାକ୍ଷ ବୃକ୍ଷରୋପଣ କରି ପ୍ରକୃତିର ସୁରକ୍ଷା ନିମନ୍ତେ ବୃକ୍ଷରୋପଣର ମହତ୍ତ୍ଵ ସମ୍ବନ୍ଧରେ ବୁଝାଇଥିଲେ। ଏହି ଗତ କିଛିବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ରହିଥିବା ବିଭିନ୍ନ କ୍ଷେତ୍ର ଗୁଡ଼ିକରେ ବିଶେଷକରି ଲଣ୍ଡା ପାହାଡ଼ ଗୁଡ଼ିକରେ ପ୍ରକୃତିର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କାର୍ଯ୍ୟ ଜାରିରହିଛି। ଏହି ପରିଦର୍ଶନରେ ଶ୍ରୀ. ବିଶ୍ଵନାଥ ନିଲାନମ୍ୱର, ଆଞ୍ଚଳିକ ବନ ସଂରକ୍ଷକ, ବ୍ରହ୍ମପୁର ମଣ୍ଡଳ, ଶ୍ରୀ. କେ. ନାଗାରାଜୁ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ ଶ୍ରୀ. ଅରୁଣ କୁମାର ସାହୁ, ଶ୍ରୀମତୀ ସାଇନଶ୍ରୀ ଦାସ, ଏବଂ ଅନ୍ୟାନ୍ୟ ବନ ଅଧିକାରୀ ଉପସ୍ଥିତ ଥିଲେ।
