ବିଶିଷ୍ଟ ସମାଜସେବୀ ଗଣନାଥ ଗୌଡ଼ଙ୍କ ପରଲୋକ;ମୁନିଗାଡ଼ି ଗ୍ରାମରେ ଶୋକର ଛାୟା, ଶେଷ ଦର୍ଶନ କଲେ ଦୁଇ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ
ବେଲଗୁଣ୍ଠା,୨୪/୧୧,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ବିଶିଷ୍ଟ ସମାଜସେବୀ ଗଣନାଥ ଗୌଡ଼ଙ୍କ ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଭୋର ପ୍ରାୟ ୪ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ମୁନିଗାଡ଼ି ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ତାଙ୍କର ବଡ଼ପୁଅ ଆଦିତ୍ୟ, ସାନପୁଅ ଅମିତ, ପତ୍ନୀ ଅଷ୍ଟମୀ ମହାକୁଡ଼, ଭଣଜା ଅନିଲ, ଅକ୍ଷୟ, ରୁଦ୍ର, ଜ୍ୱାଇଁ ପୁରସ୍ତମଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ପ୍ରାୟ ଦୁଇ ଶହ ଗ୍ରାମବାସୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ଅବସରରେ ସନ୍ତୋଷ ସ୍ୱାଇଁ, କାହ୍ନୁ ସ୍ୱାଇଁ, ବଂଶୀଧର ଗୌଡ଼, ଭଞ୍ଜକିଶୋର ଗୌଡ଼, ନିଶାମଣି ଗୌଡ଼ ଓ ଗ୍ରାମ୍ୟ ସଭାପତି ନିମେଇ ଚରଣ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସ୍ଥାନୀୟ ବିଧାୟକ ସରୋଜ ପାଢ଼ୀ ମଧ୍ୟ ନିଜ ସହଯୋଗୀ ଶିବ ନାୟକ, ବିଜୟ ସ୍ୱାଇଁ ଓ ଦୁର୍ଗା ମହାପାତ୍ରଙ୍କ ସହ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏଥିସହିତ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ଗ୍ରାମବାସୀଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ। ମୁନିଗାଡ଼ି ପଞ୍ଚାୟତର ବହୁ ଅଧିବାସୀ ଗଣନାଥ ଗୌଡ଼ଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
