*ଖଡ଼ିଆଳରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଲା ୫୫୭ତମ ଗୁରୁ ନାନକ ଜୟନ୍ତୀ ଲଙ୍ଗର ସେବାରେ ସାମିଲ ହେଲେ ୮୦୦ରୁ ଊର୍ଦ୍ଧ୍ୱ ନଗରବାସୀ*
ନୂଆପଡା(ମିଖାଏଲ ନନ୍ଦ):
ତା-୨୪/୧୧
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଗୁରୁଦ୍ୱାରା ଠାରେ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ଗୁରୁ ନାନକ ଦେବଙ୍କ ୫୫୭ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ସକାଳୁ ପ୍ରଭାତ ଫେରି ଅନୁଷ୍ଠିତ ହେବା ସହ ଗୁରୁଦ୍ୱାରାରେ ଭଜନ ଓ କୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶିଖ୍ ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ପାରମ୍ପରିକ ବାଦ୍ୟ ସଙ୍ଗୀତର ତାଳେ ତାଳେ ଗୁରୁବାଣୀ ଓ ଭଜନ ଗାନ କରିଥିଲେ।
ଖଡ଼ିଆଳ ସହର ଏକ ସର୍ବଧର୍ମ ସମନ୍ୱୟ ଓ ଧର୍ମନିରପେକ୍ଷ ସହର ଭାବେ ପରିଚିତ। ଏହାର ନିଦର୍ଶନ ସ୍ୱରୂପ ସମସ୍ତ ଧର୍ମାବଲମ୍ବୀ ଲୋକେ ପରସ୍ପରର ପର୍ବପର୍ବାଣୀକୁ ସମ୍ମାନ ଜଣାଇ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ଲଙ୍ଗର ସେବାରେ ଖଡ଼ିଆଳ ସହରର ୮୦୦ରୁ ଊର୍ଦ୍ଧ୍ୱ ନାଗରିକ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ସେହିପରି ସନ୍ଧ୍ୟା ସମୟରେ ଗୁରୁ ଗ୍ରନ୍ଥ ସାହେବଙ୍କ ସୁସଜ୍ଜିତ ଶୋଭାଯାତ୍ରା ସହ ନଗର ପରିକ୍ରମା (ନଗର ଫେରି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଖଡ଼ିଆଳ ଶିଖ୍ ସମାଜର ସଭାପତି ସତପାଲ୍ ସିଂ ଛବଡ଼ା ଯୋଗଦେଇ ଖଡ଼ିଆଳବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହାସହ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ନବ ନିର୍ମିତ ଗୁରୁଦ୍ୱାରାର ଶୁଭ ଉଦ୍ଘାଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିଖ୍ ସମାଜର ବରିଷ୍ଠ ନାଗରିକ କୁଲବନ୍ତ୍ ସିଂ ଖଣ୍ଡୁଜା, ସମ୍ପାଦକ ଅମୃତ ସିଂ ଖଣ୍ଡୁଜା, ସାଧାରଣ ସମ୍ପାଦକ ଅଜିନ୍ଦ୍ର ସିଂ ଖଣ୍ଡୁଜା, ରବୀନ୍ଦ୍ର ସିଂ ଖଣ୍ଡୁଜାଙ୍କ ସମେତ ମହିଳା ମଣ୍ଡଳର ସଦସ୍ୟାମାନେ ପରିଚାଳନା କରିଥିଲେ।
