*ବିନା ସୂଚନା ଫଳକରେ ଚାଲିଛି ପୋଲ ନିର୍ମାଣ!*
*ସରକାରୀ ଅନୁମୋଦନ ନା ଠିକାଦାରଙ୍କ ନିଜସ୍ୱ ଉଦ୍ୟମ? ଉଠିଲା ବଡ଼ ପ୍ରଶ୍ନ*
ରାଇଘର (ଉମେଶ ସାହୁ): ସରକାରୀ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ। କିନ୍ତୁ ରାଇଘର ବ୍ଲକ ଅନ୍ତର୍ଗତ ବୋବାଇ ପଞ୍ଚାୟତର ଶାନ୍ତିନଗର ଗ୍ରାମରେ ଚାଲିଥିବା ପୋଲ ନିର୍ମାଣକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ନିର୍ମାଣସ୍ଥଳରେ ନାହିଁ କୌଣସି ସୂଚନା ଫଳକ। ଫଳରେ କେଉଁ ଯୋଜନାରେ, କେତେ ଅର୍ଥ ବ୍ୟୟରେ ଏବଂ କାହା ତତ୍ତ୍ୱାବଧାନରେ ଏହି କାମ ଚାଲିଛି, ତାହା ଜାଣିବାରୁ ସାଧାରଣ ଲୋକେ ବଞ୍ଚିତ ହେଉଛନ୍ତି।ଏନେଇ ଠିକାଦାରଙ୍କୁ ପଚାରିବାରୁ ସେ କୁଆଡ଼େ କହୁଛନ୍ତି, “କୌଣସି ଡିମାଣ୍ଡ ନାହିଁ, ଫାଇଲ ମଧ୍ୟ ହୋଇନାହିଁ। ମୁଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପୋଲ ନିର୍ମାଣ କରୁଛି।” ଠିକାଦାରଙ୍କ ଏଭଳି ଉତ୍ତର ଶୁଣି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।
ଯଦି ନିଜସ୍ୱ ଅର୍ଥରେ ନିର୍ମାଣ ହେଉଛି, ତେବେ ଏହାର ଉଦ୍ଦେଶ୍ୟ କ’ଣ? ଆଉ ଯଦି ସରକାରୀ କାର୍ଯ୍ୟ, ତେବେ ଅନୁମୋଦନ, ବ୍ୟୟ ଅଟକଳ ଓ ସୂଚନା ଫଳକ କାହିଁକି ନାହିଁ? ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜନସାଧାରଣଙ୍କ ଦାବି, ସମ୍ପୃକ୍ତ ବିଭାଗ ଘଟଣାର ତଦନ୍ତ କରି ନିର୍ମାଣ କାର୍ଯ୍ୟର ବାସ୍ତବତା ସ୍ପଷ୍ଟ କରନ୍ତୁ। ଲୋକଙ୍କ ପାଇଁ ନିର୍ମାଣ ହେଉଥିବା ପୋଲର ହିସାବ ଲୋକଙ୍କଠାରୁ ଲୁଚାଯିବ କାହିଁକି?
