ବେଆଇନ ପଥର ବୋଝେଇ ଡମ୍ପର ନେଲା ମନୋରଞ୍ଜନଙ୍କ ଜୀବନ, ପ୍ରଶାସନ ନିରବ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ସୋର ବାଗୁଡି, ଖଞ୍ଜାମହଲ ପାହାଡ଼ରୁ ବେଆଇନ ପଥର ଚୋରି ବନ୍ଦ ହେବାର ନାଁ ଧରୁ ନଥିବା ବେଳେ, ବେଆଇନ ପଥର ବୋଝେଇ ଟ୍ରକ ତଳେ ଚାପି ହୋଇ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାହ୍ନରେ ସୋର-ବାଗୁଡ଼ି ରାସ୍ତାର ବରଫକଳ ଛକ ଶନି ମନ୍ଦିର ନିକଟରେ ଓଡି୦୧ବିଇ୩୧୭୯ ନମ୍ବର ବିଶିଷ୍ଟ ଏକ ଦ୍ରୁତଗାମୀ ବେଆଇନ ପଥର ବୋଝେଇ ଡମ୍ପର ଧକ୍କାରେ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୋର ପୌରପାଳିକା ୧ ନମ୍ବର ୱାର୍ଡ ଈଶ୍ୱରପୁର ଗ୍ରାମର ଯଦୁନାଥ ଧଡାଙ୍କ ପୁଅ ମନୋରଞ୍ଜନ ଧଡ଼ା। ସେ ନିଜ ବାଇକରେ ବାଗୁଡ଼ିରୁ ସୋର ଫେରୁଥିବା ସମୟରେ ପଛପଟୁ ଆସୁଥିବା ଡମ୍ପରଟି ତାଙ୍କ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହି ଯୁବକଙ୍କ ପ୍ରାଣ ବାୟୁ ଉଡିଯାଇଥିଲା।ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ହସ୍ପିଟାଲ ପଠାଇଥିଲା ଏବଂ ସାମୟିକ ଉତ୍ତେଜନା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ବାଗୁଡ଼ି ଖାଦାନରୁ ପ୍ରତିଦିନ ଶହ ଶହ ବେଆଇନ ଟ୍ରକ୍ ଯାତାୟାତ କରୁଥିଲେ ମଧ୍ୟ ପ୍ରଶାସନ ଓ ଖଣି ବିଭାଗର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରଶାସନର ଏହି କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି।
