*ଢେଙ୍କାନାଳ ରେ ହେଉଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଉଦଯାପିତ*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଅଦ୍ୟ ତା ୩/୧୧:
ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ମେଳାରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଏହି ମେଳା ମାଧ୍ୟମରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର କାରିଗର, ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ବିକ୍ରୟ ଓ ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ମିଳିପାରିଛି।
ଉଦଯାପନୀ ସମାରୋହରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ବନଖଣ୍ଡ ଅଧିକାରୀ ଶ୍ରୀ ଲଳିତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ଏବଂ ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବଳ ଜେନାମଣି ଉପସ୍ଥିତ ଥିଲେ।
ଏହି ଅବସରରେ ଉଦବୋଧନ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ କହିଥିଲେ ଯେ, ଢେଙ୍କାନାଳରେ ଏକ ସମୟରେ ଦୁଇଟି ଗଣପର୍ବ ଲକ୍ଷ୍ମୀପୂଜା ଓ ପଲ୍ଲିଶ୍ରୀ ମେଳା ଚାଲିଥିବା ବେଳେ ଉଭୟ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଆଗାମୀ ବର୍ଷ ମଧ୍ୟ ଏହି ସଫଳତାର ପୁନରାବୃତ୍ତି ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଆୟୋଜନରେ ସହଯୋଗ ଓ ସମର୍ଥନ ଯୋଗାଇଥିବା ଢେଙ୍କାନାଳବାସୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।
ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ ପଲ୍ଲିଶ୍ରୀ ମେଳାକୁ ଏକ କ୍ଷୁଦ୍ର ଭାରତ ବୋଲି ଅଭିହିତ କରିବା ସହ ଏହା ଦେଶର ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି ଓ ପାରମ୍ପରିକ ଉତ୍ପାଦର ଏକ ମିଳନସ୍ଥଳୀ ବୋଲି କହିଥିଲେ। ଆଗାମୀ ବର୍ଷ ଏହି ମେଳା ଆହୁରି ବଡ଼ ଓ ଆକର୍ଷଣୀୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରାରମ୍ଭିକ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ପଲ୍ଲିଶ୍ରୀ ମେଳାରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ ହେବା ଏକ ଉଲ୍ଲେଖନୀୟ ସଫଳତା। ଏହି ମେଳା ଜିଲ୍ଲାର କଳାକାରମାନଙ୍କୁ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ଯୋଗାଇ ଦେଇଛି। ଜିଲ୍ଲାର ଲୋକକଳା ମହୋତ୍ସବର ଆୟୋଜନ ଏହି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ।
ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ ବିପୁଳ ଜନସମାଗମ ସତ୍ତ୍ୱେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ସମସ୍ତ ପୂଜା କମିଟି ଓ ଢେଙ୍କାନାଳବାସୀଙ୍କ ସହଯୋଗକୁ ସେ ପ୍ରଶଂସା କରିଥିଲେ। ଏଥିସହ ଟାଟା ପାୱାର, ଢେଙ୍କାନାଳ ପୌରପାଳିକା, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ସୁଭଦ୍ରା ଶକ୍ତି ଏବଂ ଅନ୍ୟାନ୍ୟ ବିଭାଗର ଉଲ୍ଲେଖନୀୟ ସହଯୋଗ ଓ କାର୍ଯ୍ୟଦକ୍ଷତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ବର୍ଷ ଗଜଲକ୍ଷ୍ମୀ ପୂଜା ଆହୁରି ଆକର୍ଷଣୀୟ ହେବ ବୋଲି ଆଶା ପ୍ରକାଶ କରିବା ସହ ଆସନ୍ତା ଢେଙ୍କାନାଳ ମହୋତ୍ସବ ମଧ୍ୟ ଏହିଭଳି ସଫଳତା ହାସଲ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଏହି ଅବସରରେ ପଲ୍ଲିଶ୍ରୀ ମେଳାର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଷ୍ଟଲ୍ଗୁଡ଼ିକୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ପଲ୍ଲିଶ୍ରୀ ମେଳାର ଏହି ସଫଳ ଆୟୋଜନ ଜିଲ୍ଲାର ଅର୍ଥନୈତିକ ଓ ସାଂସ୍କୃତିକ ଗତିଶୀଳତାକୁ ନୂତନ ଦିଗ ଦେବା ସହ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଓ କଳାକାରଙ୍କୁ ଉତ୍ସାହିତ କରିଛି।
