ସୋର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦକୁ ନେଇ ପୁଣି ଉତ୍ତେଜନା: ପୋଲିସର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ପରିସ୍ଥିତି
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଗତ ଅକ୍ଟୋବର ୩୧ ତାରିଖ ରେ ବେତଡ଼ା ଲକ୍ଷ୍ମୀପୂଜା ଅବସରରେ ‘ସିଂହବାହିନୀ’ ଯାତ୍ରା ପରିବେଷଣ ବେଳେ ଜଣେ କଳାକାରଙ୍କ ଅକାଳ ବିୟୋଗ ଘଟଣାକୁ ନେଇ ସୋର ଡାକ୍ତରଖାନାରେ ଆରମ୍ଭ ହୋଇଥିବା ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। ଶବ ବ୍ୟବଚ୍ଛେଦ ପାଇଁ ୧୦୦୦ ଟଙ୍କା ମାଗିବା ଅଭିଯୋଗ ଏବଂ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ସହ କର୍ମଚାରୀଙ୍କ ବିବାଦ ଆଜି ପୁଣି ଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ସୂଚନାଯୋଗ୍ୟ ଗତ ନଭେମ୍ବର ୧ ତାରିଖ ଘଟଣା ପରେ ଗତକାଲି (ନଭେମ୍ବର ୨)ସୋର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ସୋର ବିଧାୟକ ଶ୍ରୀ ମାଧବ ଧଡ଼ା ଶବ ବ୍ୟବଚ୍ଛେଦ ଖର୍ଚ୍ଚ ସମିତି ବହନ କରିବ ବୋଲି ସ୍ପଷ୍ଟ ଭାବେ ଘୋଷଣା କରିଥିଲେ। ପୂର୍ବରୁ ଗତ ୧ ତାରିଖରେ ଯାତ୍ରା କଳାକାର ଙ୍କ ଶବ ବ୍ୟବଚ୍ଛେଦ ଘଟଣା ରେ ପୀୟୂଷ ତ୍ରିପାଠୀ ମଧ୍ୟ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ମାଗି ସାରିଥିଲେ। ତଥାପି ଆଜି ସମ୍ପୃକ୍ତ ଶବ ବ୍ୟବଚ୍ଛେଦ କର୍ମଚାରୀଙ୍କ ପରିବାରବର୍ଗ ହସ୍ପିଟାଲରେ ପହଞ୍ଚି ପୀୟୂଷ ବ୍ୟକ୍ତିଗତ ଭାବେ ସୋରରେ ଉପସ୍ଥିତ ରହି ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଜିଦ୍ ଧରିଥିଲେ। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଏହାର ପ୍ରଭାବରେ ଅନ୍ୟ ଏକ ମୃତଦେହର ବ୍ୟବଚ୍ଛେଦ ପ୍ରକ୍ରିୟ ମଧ୍ୟ ଅଟକି ରହିଥିଲା, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରି ପକାଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୋର ଥାନାଧିକାରୀ ଅନୁରାଗ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ। ପରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଏବଂ ଥାନାଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଅଟକି ରହିଥିବା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ପୁନଃ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା
