*ବିଧାୟକଙ୍କ ଆଲୋକୀକରଣ ବ୍ୟବସ୍ଥାର ସାର୍ଥକତା କେତେ ?*
*ବଡସାହି -* ବଡସାହି ଓ ବେତନଟୀ ବ୍ଲକକୁ ଅନ୍ତର୍ଭୁକ୍ତ କରି ଗଠିତ ବଡସାହି ନିର୍ବାଚନ ମଣ୍ଡଳୀରେ ସନାତନ ବିଜୁଳି ୨ ଥର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ବିଧାୟକ ହେବାର ପ୍ରଥମ ପାଳିରେ ସେ ତାଙ୍କ ହାତ ପାଣ୍ଠି ଅର୍ଥରେ ବେତନଟୀ ସହିତ ବଡସାହି ବ୍ଲକର ବିଭିନ୍ନ ସ୍ଥାନ ଏବଂ ଛକ ମାନଙ୍କରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଯାଇ ଲାଇଟ୍ ଲଗାଇଥିଲେ। ମାତ୍ର ସାଧାରଣ ଜନତା କିଛିଦିନ ପରେ ସେପରି ଆଖିଦୃଶିଆ ସୁଫଳ ପାଇ ପାରିନଥିଲେ। ବ୍ୟୟ କରାଯାଇଥିବା ଅର୍ଥ ଏକ ପ୍ରକାର ପାଣିରେ ପଡ଼ିଯାଇଥିଲା।
କେଉଁଠି ସୋଲାର ପ୍ଲେଟ୍ ନଷ୍ଟ ହୋଇଯାଇଥିଲା ତ କେଉଁଠି ଲାଇଟ୍ ଚୋରି ହୋଇଯାଇଥିଲା, ପୁଣି କେଉଁଠି ଲାଇଟ୍ ଥାଇ ମଧ୍ୟ ଲୋକେ ଆଲୋକିତ ହୋଇ ପାରିନଥିଲେ।
ଉକ୍ତ ଯୋଜନା ଦୁହାଁଳିଆ ଗାଈ ସଦୃଶ ହୋଇଥିବାରୁ ଯୋଗାଣ ସଂସ୍ଥା ସହିତ ବିଧାୟକଙ୍କ ଠିକାଦାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବେଶ୍ ଲାଗି ପଡ଼ିଥିଲେ।
ଉକ୍ତ ଯୋଜନା ପ୍ରଥମ ପାଳିରେ ବିଫଳ ହୋଇଥିଲେ ମଧ୍ୟ ଦ୍ୱିତୀୟ ପାଳିରେ ପୁନର୍ବାର ସେହି ଆଲୋକୀକରଣ ଯୋଜନାରେ ଲାଇଟ୍ ଲଗାଇବା କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳୁଛି।
ଉଦାହରଣ ସ୍ୱରୂପ, ବଡସାହି ବ୍ଲକର ଅଙ୍ଗାରଗଡ଼ିଆ ଛକରେ ଲାଇଟ୍ ଲଗାଇବାର ପ୍ରାୟ ୬ ମାସ ପରେ ଲାଇଟ୍ ସହିତ ସୋଲାର ଉଭାନ ହୋଇଯାଇଥିବା ବେଳେ କେବଳ ବିଧାୟକଙ୍କ ଫଟୋ ଚିତ୍ର ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ଏଭଳି ଯୋଜନା ଫଳ ଶୂନ୍ୟ ହେଉଥିବା ଜାଣି ମଧ୍ୟ ‘ସରକାରୀ ମାଲ୍, ଦରିଆ ମେଁ ଡାଲ୍’ ନୀତି ଆପଣେଇ ଆବଶ୍ୟକତା ନଥିବା ସ୍ଥାନରେ ବି ବିଧାୟକଙ୍କ ଫଟୋ ସହିତ ଲାଇଟ୍ ଲଗାଯାଉଛି।
ତେବେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଧାୟକ କାହିଁକି ଏତେ ବ୍ୟଗ୍ର ? ଏହାର ସାର୍ଥକତା କେତେ ? ଏଥିରେ କଣ ରହସ୍ୟ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।
