ମୁଣ୍ଡାରୀ ଭାଷାକୁ ସ୍ଵୀକୃତି ଦାବି : ୧୪ରେ ବିଶାଳ ସମାବେଶ କୁଳିଅଣା, ୮/୧୦(ଇମିସ): ମୁଣ୍ଡାରୀ ଭାଷାକୁ ସ୍ଵୀକୃତି ପାଇଁ ଆନ୍ଦୋଳନ ନିମନ୍ତେ କୁଳିଅଣା ବ୍ଲକ ଚାନ୍ଦୁଆ ବିର୍ସା ମୁଣ୍ଡା ଖେଳ ପଡ଼ିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୭ଟି ପଞ୍ଚାୟତର ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଏବଂ ୧୭ଟି ପଞ୍ଚାୟତର ଗ୍ରାମ ଗୁଡିକରେ ପ୍ରସ୍ତୁତି ବୈଠକ ଚାଲିଛି। ବୈଠକରେ ‘ମୁଣ୍ଡା ସ୍ଵଶାସନ ଗୁଟଗାମ’ ଓ ‘ମୁଣ୍ଡାରୀ ଭାଷା ସମନ୍ଵୟ ସମିତି’ର ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ବିଶାଳ ଜନସମାବେଶ ପ୍ରସ୍ତୁତି ନିମନ୍ତେ ମୁଣ୍ଡାରୀ ବାନିର ସ୍ରଷ୍ଟା ଅଲ ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗଙ୍କ ଜନ୍ମ ମାଟି ଚାନ୍ଦୁଆ ଠାରେ ଅନୁଷ୍ଠିତ ହୋଇଥିଲା। ମୁଣ୍ଡା ସ୍ଵଶାସନ ଗୁଟଗାମର ଜିଲ୍ଲା ଆବାହକ ମନୋରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୧୪ ତାରିଖ ଦିନ କୁଳିଅଣା ବ୍ଲକସ୍ତରୀୟ ବିଶାଳ ସମାବେଶ ସହିତ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି। ବୈଠକରେ ମୁଣ୍ଡାରୀ ଭାଷା ସମନ୍ଵୟ କମିଟିର ବ୍ଲକ ସଭାପତି ସତ୍ୟବାନ ସିଂ, ସମ୍ପାଦକ ବୁଧୁରାମ ସିଂ, ମୁଣ୍ଡାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, ବୁଧୁ ସିଂ, ପଣ୍ଡିତ ସିଂ, ସତକୋଟି ଚାନ୍ଦ ସିଂ, ହାତୁ ମୁଣ୍ଡା ରଙ୍ଗଲାଲ ସିଂ, ଦେହୁରୀ ରୁଇହା ସିଂ, ଡାକୁଆ ଜାତିରାୟ ସିଂ, ସମାଜସେବୀ ନବୀନ ଚନ୍ଦ୍ର ସିଂ, ଦୁଲାରୀ ସିଂ, ଆରାମ ପୁଲିସ ସିଂ, ତପନ ସିଂ, ଦୀନବନ୍ଧୁ ସିଂ, ହେମେନ୍ଦ୍ର ସିଂ, ମନୋରଞ୍ଜନ ସିଂ ରେଲା, ସାବିତ୍ରୀ ସିଂ, ଆରତୀ ସିଂ ଓ ଅନ୍ୟାନ୍ୟ ସମାଜସେବୀଗଣ ଉପସ୍ଥିତ ଥିଲେ। ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ, ରାଜ୍ୟର ଦ୍ଵିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ଉପରେ ବକ୍ତାମାନେ ଦାବି ଉପସ୍ଥାପନ କରିଥିଲେ। ଜନସମାବେଶକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଆହ୍ବାନ ଦେଇଥିଲେ। ଶେଷରେ ମୁଣ୍ଡାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
