*ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ*।
ନୂଆପଡା(ମିଖାଏଲ ନନ୍ଦ) ତା.୦୩/୧୦:
ନୂଆପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସ୍ୱତନ୍ତ୍ର ଗ୍ରାମସଭା ୨ ଅକ୍ଟୋବର ରୁ ୧୪ ନଭେମ୍ବର, ଶିଶୁ ଦିବସ ପର୍ଯ୍ୟନ୍ତ ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ୨ ଅଭିଯାନକୁ ନୂଆପଡ଼ା ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ନୂଆପଡ଼ା ରବୀନ୍ଦ୍ର ବାର୍ଲା ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ଜିଲ୍ଲାପାଳ ଶ୍ରୀ ଦାଶ ଏହି ୪୪ ଦିନିଆ ଅଭିଯାନକୁ ଗୁରୁତ୍ୱର ସହ ନେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଯୋଗ ଦେବେ।
