ବେଟି ବଚାଓ, ବେଟି ପଢ଼ାଓ ଅଧୀନରେ ବ୍ଲକସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ।
ଭଞ୍ଜନଗର,-୦୩/୧୦ (ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଅଧୀନରେ କନ୍ୟାଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ଶିଶୁ ବିବାହ ନିରାକରଣ ନିମନ୍ତେ ବ୍ଲକସ୍ତରୀୟ ଟାସ୍କ ଫୋର୍ସର ସମନ୍ୱୟ ବୈଠକ ଭଞ୍ଜନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଭଞ୍ଜନଗର ସିଡିପିଓ ଶ୍ରୀମତୀ ମିଳିମା କୁମାରୀ ପଣ୍ଡା ଙ୍କ ଅଧ୍ୟକ୍ଷତା କରି କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହ ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ନିରାକରଣ କରିବା ଦିଗରେ ସମସ୍ତଙ୍କ ସମନ୍ୱିତ ଓ ସକ୍ରିୟ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଶିଶୁ ବିବାହ ନିରାକରଣ, କନ୍ୟାଶିଶୁଙ୍କ ଅଧିକାର ସୁରକ୍ଷା, କନ୍ୟାଶିଶୁଙ୍କ ଶିକ୍ଷାକୁ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯୋଗାଇଦେବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁ ବିବାହ ସମ୍ପର୍କରେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି ସହ ଏଭଳି ଘଟଣାକୁ ଚିହ୍ନଟ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଭଞ୍ଜନଗର ବରିଷ୍ଟ ଆଇନ ଯିବି ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ ଜେନା, ଶ୍ରୀ ଜଗବନ୍ଧୁ ଜେନା, ଅଧ୍ୟକ୍ଷ ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ , ଅନ୍ୟ ବରେଣ୍ୟ ଅତିଥୀ ଗଣ , ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ, ଆଇସିଡିଏସ୍ ପ୍ରକଳ୍ପର ସମସ୍ତ କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଯୋଜନା, ଶିଶୁ କନ୍ୟା ଙ୍କ ସୁରକ୍ଷା ଓ ସଚେତନତା ବିଷୟରେ କହିଥିଲେ ।ବୈଠକରେ ତୃଣମୂଳସ୍ତରରେ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ସହ ଶିଶୁ ବିବାହମୁକ୍ତ ସମାଜ ଗଠନ ପାଇଁ ବିଭିନ୍ନ ବିଭାଗ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ଗ୍ରାମସ୍ତରୀୟ କର୍ମୀମାନଙ୍କ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବା ଉପରେ ମତ ପ୍ରକାଶ ପାଇଥିଲା।
ବୈଠକ ଶେଷରେ କନ୍ୟାଶିଶୁ ଙ୍କ ପାଇଁ ଏକ ସୁରକ୍ଷିତ, ଶିକ୍ଷିତ, ସମ୍ମାନଜନକ ଓ ସମାନ ସୁଯୋଗ ଭିତ୍ତିକ ଭବିଷ୍ୟତ ଗଠନ ସହ ଶିଶୁ ବିବାହ ନିରାକରଣ ଦିଗରେ ସମସ୍ତଙ୍କ ଶପଥ ପାଠ ସହ ସକ୍ରିୟ ସହଯୋଗ ଓ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
