*ନୂଆପଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍ଯାପିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.-୦୩/୧୦:
ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆୟୋଜିତ ୭୨ତମ ବନ୍ୟପ୍ରାଣୀ ସପ୍ତାହର ଜିଲ୍ଲାସ୍ତରୀୟ ଉଦ୍ଯାପନୀ ସମାରୋହ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ। କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଇଶାନୀ ମିତ୍ର ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବାସୁଦେବ ସୁନାନୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ଏସିଏଫ୍ ଅଜୟ ଖେସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ବନ୍ୟପ୍ରାଣୀ ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ବୈଜ୍ଞାନିକ ପରିଚାଳନା ସମ୍ପର୍କରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷାରେ ବିଭିନ୍ନ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ ଯେ, ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ବିନା ନୂଆପଡ଼ାର ସାମଗ୍ରିକ ବିକାଶକୁ ଚିନ୍ତା କରାଯାଇପାରିବ ନାହିଁ। ସୁନାବେଡ଼ା ଅଭୟାରଣ୍ୟ ଜିଲ୍ଲାର ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ବୋଲି ଉଲ୍ଲେଖ କରି ସେମାନେ ଏହାର ଜୀବଜନ୍ତୁ, ଜଙ୍ଗଲ ଓ ପାହାଡ଼ର ସୁରକ୍ଷା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି କହିଥିଲେ।
ଜିଲ୍ଲାପାଳ ମଧୁସୂଦନ ଦାଶ ସରକାରୀ କର୍ତ୍ତବ୍ୟ ସମ୍ପାଦନରେ ସଚ୍ଚୋଟତା, ଆନ୍ତରିକତା, ନିଷ୍ଠା ଓ ପ୍ରତିବଦ୍ଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବନ୍ୟପ୍ରାଣୀ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ମାନବ-ବନ୍ୟପ୍ରାଣୀ ସହବସ୍ଥାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସୁନାବେଡ଼ା ଅଭୟାରଣ୍ୟକୁ ବାଘ ପ୍ରକଳ୍ପରେ ସାମିଲ କରିବା ନେଇ ଦୀର୍ଘଦିନ ଧରି ପ୍ରକ୍ରିୟା ଚାଲିଥିବା ଏବଂ ପ୍ରାଥମିକ ଅନୁମତି ମିଳିଥିବା ସେ ସୂଚନା ଦେଇଥିଲେ। ଆବଶ୍ୟକ ଅନ୍ୟାନ୍ୟ ଅନୁମୋଦନ ମିଳିଲେ ଏହା ପୂର୍ଣ୍ଣାଙ୍ଗ ବାଘ ପ୍ରକଳ୍ପରେ ପରିଣତ ହେବ ବୋଲି ସେ କହିଥିଲେ।
ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ନିଷ୍ଠାପର ଏବଂ ଉତ୍କୃଷ୍ଟ ସେବା ପାଇଁ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କେତେକ କର୍ମଚାରୀଙ୍କୁ ସମାରୋହରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବନ୍ୟପ୍ରାଣୀ, ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା, ସଂରକ୍ଷଣ ଏବଂ ସୁସ୍ଥାୟୀ ପରିଚାଳନା ପାଇଁ ସମସ୍ତ ଅଂଶୀଦାରଙ୍କ ପକ୍ଷରୁ ସମନ୍ୱିତ ଓ ନିରନ୍ତର ପ୍ରୟାସ ଜାରି ରଖିବା ନେଇ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।
