*ନୂଆପଡାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟିର ବୈଠକ ଅନୁଷ୍ଠିତ*
ନୂଆପଡ଼ା( ମିଖାଏଲ ନନ୍ଦ), ତା-୦୩/୧୦:
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଅନୁଦାନରେ ଜିଲ୍ଲାରେ ଚାଲୁଥିବା ଏବଂ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ଜିଲ୍ଲାର ବିଭିନ୍ନ ବିଭାଗ ଓ ଅଞ୍ଚଳରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି, ଭୌତିକ ଅଗ୍ରଗତି ଏବଂ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବିଭିନ୍ନ ପ୍ରକଳ୍ପ ସମ୍ପର୍କିତ ଅପେକ୍ଷମାନ ଫିଜିବିଲିଟି ରିପୋର୍ଟ ଓ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ଶୀଘ୍ର ଦାଖଲ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଅପେକ୍ଷମାନ ରିପୋର୍ଟ ଓ ଡିପିଆର୍ ୭ ଦିନ ମଧ୍ୟରେ ଦାଖଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା ଏନ୍ଏସି ଅଧୀନ ସାଲେଭଟା ନିକଟରେ ପ୍ରସ୍ତାବିତ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ଅଟକଳର ଡିପିଆର୍ ପ୍ରସ୍ତୁତ କରି ଦାଖଲ କରିବାକୁ ନୂଆପଡ଼ା ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଥିଲା। ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରକଳ୍ପଗୁଡ଼ିକର ନିୟମିତ ଅଗ୍ରଗତି ସମୀକ୍ଷା ପାଇଁ ପ୍ରତି ଦୁଇ ମାସରେ ଥରେ ଭୌତିକ ବୈଠକ ଏବଂ ପ୍ରତି ମାସରେ ଥରେ ଭର୍ଚୁଆଲ୍ ବୈଠକ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧାରୁଆ, ଉପନିର୍ଦ୍ଦେଶକ, ଯୋଜନା ଦିଲେଶ୍ୱର ଧାରୁଆ, RWSSର ଅଧୀକ୍ଷଣ ଯନ୍ତ୍ରୀ ପ୍ରହ୍ଲାଦ ସାହୁ, R&Bର ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲାଙ୍କ ସମେତ ସମସ୍ତ ବିଡିଓ, ଏନ୍ଏସିର ନିର୍ବାହୀ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
