*ଟାଟା ଷ୍ଟିଲ୍ ଫାଉଣ୍ଡେସନର “ୱି ଫର୍ ଚେଞ୍ଜ” ଅଭିଯାନ l*
ଯାଜପୁର କଳିଙ୍ଗନଗର, ଭଞ୍ଜଦୁତ ବ୍ୟୁର ୨/୧୦: ଗାନ୍ଧୀ ଜୟନ୍ତୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ସାମୂହିକ ନେତୃତ୍ୱ ତଥା ଦାୟିତ୍ୱବୋଧର ନିଦର୍ଶନ ଦେଖିବାକୁ ମିଳିଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍)ର ‘ଦିଶା’ କାର୍ଯ୍ୟକ୍ରମ ସହ ଜଡ଼ିତ ମହିଳା ଅଂଶୀଦାରମାନେ ‘ୱି ଫର୍ ଚେଞ୍ଜ’ ପଦକ୍ଷେପ ଅଧୀନରେ କଳିଙ୍ଗନଗର ଓ ଏହାର ଆଖପାଖ ଚାରୋଟି ଗ୍ରାମରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଶାଳିଜଙ୍ଗା, ଭରଦାପୋଷି, ବାରଗାଡ଼ିଆ ଏବଂ ତେଲିବାହାଳି ଗ୍ରାମରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଦିଶା’ କାର୍ଯ୍ୟକ୍ରମ ଅଧୀନରେ ତାଲିମପ୍ରାପ୍ତ ସମୁଦାୟ ୧୫୦ ଜଣ ମହିଳା ଚେଞ୍ଜମେକର୍ ସ୍ୱେଚ୍ଛାକୃତ ଭାବେ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେମାନେ ସର୍ବସାଧାରଣ ସ୍ଥାନଗୁଡ଼ିକର ସଫେଇ କରିବା ସହିତ ସ୍ୱଚ୍ଛତା, ପରିମଳ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଭରଦାପୋଷି ଗ୍ରାମରେ ସୁରକ୍ଷିତ ତଥା ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ନଳକୂପ ଓ ଷ୍ଟାଣ୍ଡପୋଷ୍ଟଗୁଡ଼ିକୁ ମଧ୍ୟ ସଫା କରାଯାଇଥିଲା।
ଏହି ଅବସରରେ ଚାନ୍ଦିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ପାଣ୍ଡୁ ସିଂହ ଖୁଣ୍ଟିଆ, ଶାଳିଜଙ୍ଗା ସରପଞ୍ଚ ବିଜୟଲକ୍ଷ୍ମୀ ଦାସ, ଖପୁରିଆପଦା ନାଏବ ସରପଞ୍ଚ ଶୁଭଶ୍ରୀ ସାମଲ, ମାଷ୍ଟର ବୁକ୍ କିପର (ଏମବିକେ) ହିମାଦ୍ରୀ ମହାନ୍ତ ଓ ମମତା ରାଉତଙ୍କ ସମେତ ମିଶନ ଶକ୍ତି ଅଧୀନରେ ଥିବା ଓଡ଼ିଶା ଜୀବିକା ମିଶନ (ଓଏଲଏମ)ର ପ୍ରତିନିଧିମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।
‘ଦିଶା’ କାର୍ଯ୍ୟକ୍ରମ ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୋଷ୍ଠୀ ଉନ୍ନୟନ ତଥା ସ୍ଥାନୀୟ ଶାସନ ବ୍ୟବସ୍ଥାରେ ମହିଳାମାନଙ୍କ ନେତୃତ୍ୱ ଏବଂ ଅଂଶଗ୍ରହଣକୁ ନିରନ୍ତର ଉତ୍ସାହିତ କରିଆସୁଛି । ‘ୱି ଫର୍ ଚେଞ୍ଜ’ ଭଳି ପଦକ୍ଷେପ ମହିଳାମାନଙ୍କୁ ତୃଣମୂଳ ସ୍ତରର ସମସ୍ୟା ସମାଧାନରେ ଆଗଭର ହେବା, ସାମୂହିକ ଭାଗୀଦାରିତା ସୃଷ୍ଟି କରିବା ଏବଂ ଏକ ସ୍ୱଚ୍ଛ, ସୁସ୍ଥ ତଥା ସମାବେଶୀ ସମାଜ ଗଠନ ଦିଗରେ ନେତୃତ୍ୱ ନେବାକୁ ପ୍ରେରଣା ଯୋଗାଉଛି।
