*ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା.-୦୧/୧୦:
ନୂଆପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ୦୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଠାରୁ ୧୪ ନଭେମ୍ବର, ଶିଶୁ ଦିବସ ପର୍ଯ୍ୟନ୍ତ ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଅଭିଯାନକୁ ନୂଆପଡ଼ା ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ନୂଆପଡ଼ା ରବୀନ୍ଦ୍ର ବାର୍ଲା ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ଜିଲ୍ଲାପାଳ ଶ୍ରୀ ଦାଶ ଏହି ୪୪ ଦିନିଆ ଅଭିଯାନକୁ ଗୁରୁତ୍ୱର ସହ ନେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅଭିଯାନକୁ ତୃଣମୂଳସ୍ତରରେ ସଫଳ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ଶିକ୍ଷା ସହିତ ସେମାନଙ୍କୁ ଯୋଡ଼ିବା ଦିଗରେ ସମ୍ପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରି ନିରାପଦ ଓ ସୁରକ୍ଷିତ ପରିବେଶରେ ସେମାନଙ୍କ ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ; ଅଧ୍ୟକ୍ଷା, ଶିଶୁ ମଙ୍ଗଳ କମିଟି ବବିତା ମିଶ୍ର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ; ଜିଲ୍ଲା ଶିକ୍ଷା ଅଧିକାରୀ; ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି; ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ; ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ; ଜିଲ୍ଲା ପଞ୍ଚାୟତ ଅଧିକାରୀ; ଜିଲ୍ଲା ଶ୍ରମ ଅଧିକାରୀ; ସହକାରୀ ଶ୍ରମ ଅଧିକାରୀ; ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।
