*ବଡାସାହି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଘୁଣ – ମେଡିକାଲ ଇନଚାର୍ଜ ଡା. ସୁକାନ୍ତ ପାତ୍ରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ*
*ବଡାସାହି, ମୟୂରଭଞ୍ଜ (୦୧/୧୦/୨୦୨୬) :* ସ୍ୱାସ୍ଥ୍ୟ ସେବା ଭଗବାନଙ୍କ ସେବା ସହ ସମାନ ବୋଲି କୁହାଯାଏ, କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ବ୍ୟବସାୟରେ ପରିଣତ ହୋଇଛି। ମେଡିକାଲ ଇନଚାର୍ଜ ଡା. ସୁକାନ୍ତ ପାତ୍ରଙ୍କ ମନମାନୀ ଏବେ ଚରମ ସୀମାରେ ପହଞ୍ଚିଛି। ସରକାରୀ ନିୟମ, ମାନବିକତା, ସାମ୍ବାଦିକତା ସବୁକୁ ସେ ଖୋଲାମଖୋଲା ଚ୍ୟାଲେଞ୍ଜ କରୁଛନ୍ତି। ଭିଡିଓ ପ୍ରମାଣ ସହ ଯାହା ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ।
*୧. ମେଡିକାଲ ଟାଇମରେ କ୍ୱାର୍ଟରରେ ପ୍ରାଇଭେଟ୍ ପ୍ରାକ୍ଟିସ୍ :*
ଦିନ ୧୧.୪୫ମିନିଟ୍ ରେ ଯେତେବେଳେ ସବୁ ଡାକ୍ତର ହସ୍ପିଟାଲ OPD ରେ ରୋଗୀ ଦେଖିବା କଥା, ଡା. ପାତ୍ର ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ନିଜ ସରକାରୀ କ୍ୱାର୍ଟର D-1 ରେ ବସି ରୋଗୀ ଦେଖୁଥିଲେ। ଭିଡିଓରେ ଦେଖାଯାଉଛି, କ୍ୱାର୍ଟର ବାହାରେ ୩-୪ ଟି ବାଇକ୍ ଲାଗିଛି, ଭିତରେ ସବୁଜ ପରଦା ଲାଗିଥିବା ଛୋଟ ରୁମରେ ଚାରିପଟେ ମହିଳା, କୋଳରେ ଛୋଟ ଛୁଆ ଧରି ଲାଇନରେ ଛିଡା ହୋଇଛନ୍ତି। ସରକାରୀ ହସ୍ପିଟାଲର ବିଶେଷଜ୍ଞ OPD ରୁମ୍ ସେତେବେଳେ ଖାଲି ପଡିଥିଲା।
*୨. ଗରିବଙ୍କ ଠାରୁ ୫୦୦ ଟଙ୍କା ଫିସ୍ ଓ କୁକୁର-ମାଙ୍କଡ ପରି ବ୍ୟବହାର :*
ସ୍ଥାନୀୟ ଅଞ୍ଚଳର ଅଧିକାଂଶ ରୋଗୀ ଆଦିବାସୀ ଓ ଗରିବ ଶ୍ରେଣୀର। ଅଭିଯୋଗ ଅନୁଯାୟୀ, ପ୍ରତି ରୋଗୀଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ନିଆଯାଉଛି। ଯିଏ ଟଙ୍କା ଦେଇ ପାରୁ ନାହିଁ, ତାଙ୍କୁ ଡା. ପାତ୍ର କୁକୁର, ମାଙ୍କଡ ଭଳି ଅସଭ୍ୟ ଭାଷାରେ ଗାଳି କରି ତଡି ଦେଉଛନ୍ତି। ଏହା କେବଳ ଅମାନବୀୟ ନୁହେଁ, ଜଣେ ସରକାରୀ ଡାକ୍ତରଙ୍କ ଶପଥର ଖୋଲା ଉଲ୍ଲଂଘନ।
*୩. NGO ଷ୍ଟାଫଙ୍କୁ ଧମକ ଓ ପର୍ସେଣ୍ଟେଜ୍ ରାଜ୍ :*
ତାଙ୍କର କାରନାମା କେବଳ ରୋଗୀଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ। ମେଡିକାଲରେ କାମ କରୁଥିବା ବିଭିନ୍ନ NGO ଓ ସରକାରୀ ଯୋଜନାର କର୍ମଚାରୀଙ୍କୁ ସେ ଖୋଲାମଖୋଲା କହୁଛନ୍ତି – “ତମେ ଯାହା କରୁଛ କର, ମତେ ମୋ ସେୟାର ଦରକାର”। ଯଦି କେହି ଏହାକୁ ବିରୋଧ କରୁଛି, ତାକୁ ତୁରନ୍ତ ଅନ୍ୟତ୍ର ବଦଳି କରିଦିଆଯାଉଛି। ଏହି ଭୟରେ କେହି ମୁହଁ ଖୋଲି ପାରୁ ନାହାନ୍ତି।
*୪. ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ :*
ସବୁଠୁ ବଡ ଗଜବ ଘଟଣା ଆଜି ଘଟିଛି। ଜଣେ ସାମ୍ବାଦିକ ଏ ବିଷୟରେ ପଚାରିବାକୁ ଯିବାରୁ ଡା. ପାତ୍ର ତାଙ୍କୁ ଧକ୍କା ମାରିଛନ୍ତି ଏବଂ କ୍ୟାମେରା ସାମ୍ନାରେ ଗର୍ବର ସହ କହିଛନ୍ତି – “ହଁ, ଆମେ ହସ୍ପିଟାଲ ନ ଯାଇ କ୍ୟାମ୍ପସ ଭିତରେ କ୍ୱାର୍ଟରରେ ରୋଗୀ ଦେଖିପାରିବୁ”। ଜଣେ ସରକାରୀ କର୍ମଚାରୀର ଏଭଳି ଅହଙ୍କାର ଦେଖି ସମସ୍ତେ ସ୍ତବ୍ଧ।
*୫. କାହା ଛତ୍ରଛାୟାରେ? ୨୦୨୨ ର ବଦଳି ଆଦେଶ ଆଜି ଯାଏଁ କାହିଁକି ଲାଗୁ ହେଲାନି?*
ସବୁଠାରୁ ବଡ ପ୍ରଶ୍ନ ଏଠାରେ ଉଠୁଛି। ସରକାରୀ ପତ୍ର ସଂଖ୍ୟା ୨୭୫୨୭ ଅନୁଯାୟୀ ୩୦.୧୧.୨୦୨୨ ରେ ଡା. ସୁକାନ୍ତ ପାତ୍ରଙ୍କୁ ଉଦଳା S.D.H କୁ ବଦଳି କରାଯାଇଥିଲା। ଆଜିକୁ ପ୍ରାୟ ୪ ବର୍ଷ ବିତିଗଲା, ହେଲେ ସେ ବଡାସାହିରେ ଜମି ବସିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) କାହା ଚାପରେ ତାଙ୍କୁ ରିଲିଭ୍ କରୁନାହାନ୍ତି? ସରକାରୀ ନିୟମ ଅନୁସାରେ ଜଣେ Class-1 ଅଫିସର ଗୋଟେ ଜାଗାରେ ସର୍ବାଧିକ ୩ ବର୍ଷ ରହିପାରିବେ, କିନ୍ତୁ ଏଠି ୧୦ ବର୍ଷରୁ ଅଧିକ ହେଲା। କଣ ସୁକାନ୍ତ ବାବୁ କୋଳି ଖାଇ କୋଳି ମଞ୍ଜି ପକାଇଛନ୍ତି? କିଏ ତାଙ୍କୁ ସୁରକ୍ଷା କବଚ ଦେଉଛି?
ଏହି ଘଟଣାର ନିରପେକ୍ଷ ତଦନ୍ତ ଏବଂ ଡା. ପାତ୍ରଙ୍କୁ ତୁରନ୍ତ ନିଲମ୍ବନ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଡାସାହି ଅଞ୍ଚଳବାସୀ ଦାବି କରିଛନ୍ତି।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
