
ରାୟଗଡ଼ ବ୍ଲକ୍ ପରିସରରେ ଅଗ୍ନିକାଣ୍ଡ: ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟ ପୋଡ଼ି ଛାରଖାରର।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ଫଳରେ କାର୍ଯ୍ୟାଳୟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଆସବାବପତ୍ର ଓ ଦସ୍ତାବିଜ୍ ପୋଡ଼ି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।ସୂଚନା ଅନୁଯାୟୀ, ଆଜି କାର୍ଯ୍ୟାଳୟ ମଧ୍ୟରୁ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲା।ଅଗ୍ନିଶମ କର୍ମଚାରୀଙ୍କ ବହୁ ପରିଶ୍ରମ ପରେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଏକ ବଡ଼ ଧରଣର ବିପତ୍ତି ଟଳିଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର ଆର୍ଥିକ କ୍ଷୟକ୍ଷତି ହୋଇଛି ଏବଂ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନଷ୍ଟ ହୋଇଛି, ସେ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସଠିକ୍ ଆକଳନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
