ଚାଷ ଜମିରେ ବୁଲା ଗୋରୁ ଙ୍କ ପାଇଁ ଲାଗିଥିବା ଝଟକା ମେସିନରେ କରେଣ୍ଟ ଲାଗି ବୃଦ୍ଧ ମୃତ।
ସୋର /ଖଇରା(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)::: ଗଣେଶ ପୂଜା ରେ ଅଘଟଣ, ଚାଷ ଜମିରେ ଲାଗିଥିବା ଝଟକା ମେସିନରେ କରେଣ୍ଟ ଲାଗି ବୃଦ୍ଧ ଙ୍କ ମୃତ୍ୟୁ ।ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ମାଖନପୁର ପଞ୍ଚାୟତର ତରାଙ୍ଗ ଗ୍ରାମରେ ଏକ ଅଭାବନୀୟ ଦେଖିବାକୁ ମିଳିଛି। ଗାଈ ଚରାଇବାକୁ ଯାଇଥିବା ସମୟରେ ବିଦ୍ୟୁତ୍ ଆଘାତରେ ୭୨ ବର୍ଷ ବୟସ୍କ ଶଙ୍କର୍ଷଣ ସେଠି ଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶଙ୍କର୍ଷଣ ସେଠି ପ୍ରତିଦିନ ପରି ସକାଳ ପ୍ରାୟ ଆଠ ଘଟିକା ସମୟରେ ନିଜ ଗାଈଗୁଡ଼ିକୁ ନେଇ ପଦା ବିଲକୁ ଚରାଇବା ପାଇଁ ଯାଇଥିଲେ। କିନ୍ତୁ ମଧ୍ୟାହ୍ନ ଅତିବାହିତ ହୋଇଯିବା ସତ୍ତ୍ବେ ମଧ୍ୟ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ସମୟ ଧରି ଅପେକ୍ଷା କରିବା ପରେ ତାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ। ଚାଷ ଜମିରେ ଫସଲ ସୁରକ୍ଷା ପାଇଁ ଝଟକା ତାର ବିଛା ଯାଇଥିଲା। ଗାଇ ଗୁଡ଼ିକୁ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରୁ ରକ୍ଷା କରିବାକୁ ଯାଇ ଶଙ୍କର୍ଷଣ ସେଠି ଦୁର୍ଭାଗ୍ୟବଶତଃ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ଏବଂ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ।
ପରେ ତାଙ୍କ ସ୍ତ୍ରୀ ଏବଂ ପରିବାରବର୍ଗ ଖୋଜିଖୋଜି ସେଠାକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ତଥା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଖଇରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଖଇରା ପୋଲିସ ଶବ କୁ ଜବତ କରିବା ସହ ସୋର ଡାକ୍ତରଖାନା ସ୍ଥିତ ଶବ ବ୍ୟବଚ୍ଛେଦ ଗୃହ କୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ।
। ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏପରି ଭାବରେ ଆଖପାଖ ହେକ୍ଟର ହେକ୍ଟର ଜମିରେ ବେଆଇନ୍ ଭାବେ ଝଟକା ତାର ବିଛା ଯାଇଥିବା ସୂଚନା ମିଳିଛି। ବିଦ୍ୟୁତ୍ ବିଭାଗ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।
