ସରକାରୀଜମି ପଟ୍ଟା ପାଇଥିବା ଜମିକୁ ନେଇ ବିବାଦ: ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି
ବନ୍ତ,୧୩/୯: ରାଜ୍ୟ ସରକାର ଗରିବ ତଥା ଭୂମିହୀନ ପରିବାରଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଜମି ପଟ୍ଟା ଯୋଗାଇ ଦେଉଥିବା ବେଳେ, ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଶ୍ରୀରାମପୁର ମୌଜାରେ ଏକ ପଟ୍ଟା ଜମିକୁ ନେଇ ବିବାଦ ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀରାମପୁର ମୌଜାର ଚଞ୍ଚଳା ଦାସଙ୍କୁ ସରକାରୀ ଯୋଜନାରେ ଖାତା ନମ୍ବର ୧୩୭/୪୩ ଏବଂ ପ୍ଲଟ୍ ନମ୍ବର ୨୨/୪୪୨ ବିଶିଷ୍ଟ ଜମି ପଟ୍ଟା ଆକାରରେ ପ୍ରଦାନ କରାଯାଇଛି। ତେବେ ଉକ୍ତ ଆବଣ୍ଟିତ ଜମିର କିଛି ଅଂଶକୁ ସ୍ଥାନୀୟ ଜନୈକ ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବା ନେଇ ଅଭିଯୋଗ ଉଠିଛି। ଜମି ଫେରିପାଇବାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ତିକ୍ତତା ଓ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ଜମିର ମୂଳ ଅଧିକାର ଫେରାଇ ଦେବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରାଯାଉ ବୋଲି ହିତାଧିକାରୀ ଚଞ୍ଚଳା ଦାସ ଓ ତାଙ୍କ ସ୍ୱାମୀ ଗୟାଧର ଦାସ ଦାବି କରିଛନ୍ତି। ଅପରପକ୍ଷରେ, ସ୍ଥାନୀୟ ରାଜସ୍ୱ ବିଭାଗ ପକ୍ଷରୁ ଜମି ମାପଚୁପ କରି ପ୍ରକୃତ ସୀମା ନିର୍ଦ୍ଧାରଣ କରାଗଲେ ଏହି ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
