ରାୟଗଡ ବ୍ଲକ ର ଷୋଡ଼ଶ ସମିତି ବୈଠକ ଅନୁଷ୍ଠିତ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ ତା ୯.୯.୨୦୨୬
ରାୟଗଡ ବ୍ଲକ ର ଷୋଡ଼ଶ ସମିତି ବୈଠକ ବୁଧବାର ବ୍ଲକ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସୁଶ୍ରୀ ଟୁନୀ ହୁଇକା ଏଥିରେ ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ହେପୃକା, ବିଡ଼ିଓ ସୁଜିତ କୁମାର ମିଶ୍ର ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେଶିକା, ପଦ୍ମାବତୀ ମାଣ୍ଡାଙ୍ଗି ଓ ସନ୍ଧ୍ୟା ପୁଲାକା, ଏବିଡ଼ିଓ କାଳୁ ଚରଣ ନାୟକ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଭୂଷଣ ବିଡିକା, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସତ୍ୟବାନ ମାଣ୍ଡାଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଠେଇଶି ଗୋଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ବିଡ଼ିଓ ଶ୍ରୀ ମିଶ୍ର ସମସ୍ତ ଙ୍କୁ ସ୍ଵାଗତ ଜଣାଇଥିଲେ । ଆଲୋଚନାରେ ସ୍ୱାସ୍ଥ୍ୟ, ଶିକ୍ଷା, ଆର ଡି, କୃଷି, ମହିଳା ଓ ଶିଶୁ ବିକାଶ, ପାନୀୟଜଳ, ଆଦି ବିଭାଗୀୟ ବିଷୟ ସ୍ଥାନ ପାଇଥିଲା ।
ଆଗାମୀ ୨୦୨୬-୨୭ ବର୍ଷ ନିମନ୍ତେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ର ଷଷ୍ଠ, ଶୋଡ଼ଶ ଅର୍ଥକମିସନ ପାଣ୍ଠି ବିନିଯୋଗ ନିମନ୍ତେ କାର୍ଯ୍ୟ ଖସଡ଼ା ଆଲୋଚନା ପରେ ଅନୁମୋଦନ ହୋଇଥିଲା । ଆଗାମୀ ବର୍ଷ ନିମନ୍ତେ ଲଘୁବନ ଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ହୋଇଥିଲା । ପ୍ରତି ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତ ରୂପେ ଗଢି ତୋଳିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ଗ୍ରାମ ପଞ୍ଚାୟତର ସଦରମହକୁମା ଠାରେ ଆଦର୍ଶ ଅଙ୍ଗନୱାଡ଼ି, ପାଠାଗାର, ଖେଳପଡିଆ, ଗୋଷ୍ଠୀ କେନ୍ଦ୍ର, ବଜାର ଭଳି ସମସ୍ତ ଉପାଦାନ ସହ ଏକ ଆଦର୍ଶ ଗ୍ରାମ ପ୍ରଥମ ପର୍ଯ୍ୟାୟରେ ଗଠନ ନିମନ୍ତେ ସ୍ଥିର କରାଗଲା । ଏହା ସହ ଗ୍ରାମଦୋୟ ଯୋଜନାରେ ରାୟଗଡ ବ୍ଲକର ଚିହ୍ନଟ ହୋଇଥିବା ଅଣଚାଶ ଟି ଗ୍ରାମରେ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଆଲୋଚନା ହୋଇଥିଲା ।
ସମିତି କାର୍ଯ୍ୟାଳୟ ପରିସରରେ ଏକ ସମ୍ମିଳନୀ କକ୍ଷର ଶୁଭ ଉଦଘାଟନ ହୋଇଥିଲା । ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ଟୁନୀ ହୂଇକା ଓ ଉପାଧ୍ୟକ୍ଷଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହା ସମସ୍ତ ସମିତି ସଭ୍ୟଙ୍କ ବୈଠକ ନିମନ୍ତେ ବ୍ୟବହୃତ ହେବବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା । ଜିପିଡିଓ ସ୍ମୃତିରେଖା ନାୟକ ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ ଯାହା ଦୃଢ଼ୀକରଣ କରାଯାଇଥିଲା । ଏବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ।
