*ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ଦାବିପତ୍ର ପ୍ରେରଣ*
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘ, ବାଲେଶ୍ଵର ଜିଲ୍ଲା ବାହାନଗା ଖଣ୍ଡ ପକ୍ଷରୁ ବାହାନଗା ସ୍ଥିତ ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୦୦୮-୨୦୧୮ ମସିହା ମଧ୍ୟରେ ପରିଚାଳନା ସମିତି ଦ୍ଵାରା ନିଯୁକ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପବିତ୍ର ଗୁରୁଦିବସରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ଦାବିପତ୍ର ପ୍ରେରଣ କରିଛନ୍ତି ତଥା ଗୁରୁ ଦିବସକୁ କଳାବ୍ୟାଚ ପରିଧାନ ପୂର୍ବକ *କଳାଦିବସ* ରୂପେ ପାଳନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ ଦୀର୍ଘ ୧୮ ବର୍ଷ ଧରି ବିନା ସରକାରୀ ବେତନରେ ଏହି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଦାବି ପୂରଣ କରିବା ସହ ସରକାରୀ ଅନୁଦାନ ଓ ବେତନ ବ୍ୟବସ୍ଥା କରିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏଥିରେ ବାଲେଶ୍ଵର ଜିଲ୍ଲାର ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର ଙ୍କ ସହିତ ବାହାନଗା ବ୍ଲକର ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହେମନ୍ତ କୁମାର ସ, ପ୍ରମୋଦ ରାଉତ, ପୁଷ୍ପିତା ନାୟକ, ସୁବାସ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୨ ତାରିଖରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ପୁରୀ ଶ୍ରୀ ଜଗନ୍ନାଥ ଧାମରୁ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ, ଏଥିସହ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
