ସମ୍ବଲପୁରର ଗବେଷକ ଶୁଭମ ସାହୁଙ୍କୁ ‘ରିଚାର୍ଡ ଏମ୍. ବାସ୍ ଉତ୍କୃଷ୍ଟ ଯୁବ ପାୱାର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଗ୍ଲୋବାଲ୍ ଆୱାର୍ଡ ୨୦୨୬’
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ସମ୍ବଲପୁରର ଗବେଷକ ଶୁଭମ ସାହୁଙ୍କୁ ପାୱାର ଇଲେକ୍ଟ୍ରୋନିକ୍ସ ସୁରକ୍ଷା କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଗବେଷଣା ପାଇଁ ଭାନକୁଭରରେ ‘ରିଚାର୍ଡ ଏମ୍. ବାସ୍ ଉତ୍କୃଷ୍ଟ ଯୁବ ପାୱାର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଗ୍ଲୋବାଲ୍ ଆୱାର୍ଡ ୨୦୨୬’ରେ ସମ୍ମାନିତ କରାଯିବ।
ଜର୍ଜିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଖ୍ୟାତ ବୈଜ୍ଞାନିକ ରିଚାର୍ଡ ଏମ୍. ବାସ୍ଙ୍କ ସ୍ମୃତିରେ ୧୯୯୯ ମସିହାରେ ପ୍ରତିଷ୍ଠିତ ଏହି ଅନ୍ତର୍ଜାତୀୟ ପୁରସ୍କାର ପାୱାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ରଖିଥିବା ୩୫ ବର୍ଷରୁ କମ୍ ବୟସର ଗବେଷକମାନଙ୍କୁ ପ୍ରଦାନ କରାଯାଏ।
ଶୁଭମ ସାହୁ ବର୍ତ୍ତମାନ ଡେନମାର୍କର ଆଲବର୍ଗ ବିଶ୍ୱବିଦ୍ୟାଳୟର ଶକ୍ତି ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ତାଙ୍କର ଗବେଷଣା କୃତ୍ରିମ ବୁଦ୍ଧିମତ୍ତା, ଯୋଗାଯୋଗ ବ୍ୟବସ୍ଥା ଏବଂ ପାୱାର ଇଲେକ୍ଟ୍ରୋନିକ୍ସର ସମନ୍ୱୟ ଉପରେ କେନ୍ଦ୍ରିତ। ଏହା ପୂର୍ବରୁ ସେ ଏଡିନବର୍ଗ ବିଶ୍ୱବିଦ୍ୟାଳୟ, ସିଙ୍ଗାପୁର ନ୍ୟାସନାଲ୍ ୟୁନିଭର୍ସିଟି (NUS) ଏବଂ MIT ଭଳି ପ୍ରମୁଖ ଅନୁଷ୍ଠାନ ସହ ଜଡିତ ଥିଲେ। ସେ ଡେନିଶ୍ ଡାଟା ସାଇନ୍ସ ଏକାଡେମୀ, ୟୁରୋପୀୟ ଗବେଷଣାଗାର ଏବଂ ଲୁଣ୍ଡବେକ୍ ଫାଉଣ୍ଡେସନ୍ ଭଳି ସଂସ୍ଥା ସହ ମଧ୍ୟ ସମ୍ପୃକ୍ତ ଅଛନ୍ତି।
ବାମରା ନିବାସୀ ନବଘନ ସାହୁ ଓ ମୀନାକ୍ଷୀ ସାହୁଙ୍କ ପୁଅ ଶୁଭମ ସାହୁ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟରୁ ତାଙ୍କର ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ। ପରେ ବୁର୍ଲାସ୍ଥିତ VSSUTରୁ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ B.Tech ଡିଗ୍ରୀ ହାସଲ କରିଥିଲେ। ଏହାପରେ IIT ଦିଲ୍ଲୀରୁ ପିଏଚ୍ଡି ଡିଗ୍ରୀ ଲାଭ କରିବା ସହ NUS ଏବଂ ଆଲବର୍ଗ ବିଶ୍ୱବିଦ୍ୟାଳୟରେ ପୋଷ୍ଟଡକ୍ଟୋରାଲ୍ ଗବେଷଣା କରିଥିଲେ।
ଆସନ୍ତା ଅକ୍ଟୋବର ମାସର ପ୍ରଥମ ସପ୍ତାହରେ କାନାଡାର ଭାନକୁଭରରେ ଆୟୋଜିତ ଏକ ସମାରୋହରେ ଶୁଭମ ସାହୁଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।
