କାଲିମେଳା ଥାନା ପୋଲିସର ପୁଣି ଥରେ ନିଶା କାରବାର ଉପରେ ବଡ଼ ପ୍ରହାର।
କାଲିମେଳା – ୦୪/୦୮/୨୦୨୬
(ରିପୋର୍ଟ – ସୁକୁମାର ମଣ୍ଡଳ)
କାଲିମେଳା ପୋଲିସ ନିଶା କାରବାର ବିରୋଧରେ ଆରମ୍ଭ କରିଥିବା ଅଭିଯାନରେ ଆଉ ଏକ ବଡ଼ ସଫଳତା ପାଇଛି। ଗତ ୦୪/୦୮/୨୦୨୬ ତାରିଖରେ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏବଂ ତାଙ୍କ ଟିମ୍ ଗୁପ୍ତ ସୂଚନା ଆଧାରରେ ବଦଲିଗୁଡ଼ା ଗ୍ରାମ ନିକଟରୁ ଚଢ଼ାଉ କରି ୩୨୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଏମ୍ ଭି ୭୨ ଗ୍ରାମର ରାମକୃଷ୍ଣ ଦାସ ଏବଂ ଏମ୍ ଭି ୭୧ ଗ୍ରାମର ବବଲୁ ଦତ୍ତ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ କାରବାରରେ ବ୍ୟବହୃତ ଗୋଟିଏ ବୋଲେରୋ ପିକ-ଆପ, ଯାହାର ନମ୍ବର ଓଡି୩୦ ହେଚ ୭୮୯୮ ଏବଂ ୧୧୦୦୦ ଟଙ୍କା ଜବତ କରିବାରେ ସଫଳ ହୋଇଛି କାଲିମେଳା ଥାନା ପୁଲିସ। କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ବିଶ୍ଵାଳଙ୍କ କହିବା ଅନୁସାରେ ଏହି ସଫଳତା ତାଙ୍କର ଟିମର ଲଗାତାର ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି। ଏନଡିପିଏସ ଆକ୍ଟ ଅନୁସାରେ ୧୭୦/୨୬ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି କାଲିମେଳା ଥାନା ପୋଲିସ। ଶ୍ରୀଯୁକ୍ତ ବିଶ୍ଵାଳ ଆହୁରି କହିଛନ୍ତି ଯେ ନିଶା କାରବାରରେ ସମ୍ପୃକ୍ତ ବଡ଼ ବଡ଼ ମାଫିଆ ପାଖରେ ପହଞ୍ଚିବାର ପ୍ରୟାସ ଜାରି ରଖିବେ କାଲିମେଳା ଥାନା ପୋଲିସ। ମୋଟାମୋଟି ଭାବେ କହିବାକୁ ଗଲେ ଯେବେ ଠାରୁ କାଲିମେଳା ଥାନାରେ ଆଇଆଇସି ଭାବେ ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଯୋଗଦାନ କରିଛନ୍ତି ଅନୈତିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ମାନଙ୍କର ନିଦ ହଜିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
