ବ୍ରିଟିଶ ଅମଳର ଭାପୁର ଫାଣ୍ଡିକୁ ଥାନା ମାନ୍ୟତା କେବେ? ନାହିଁ କର୍ମଚାରୀଙ୍କ ବାସଗୃହ,ଅତ୍ୟାଧୁନିକ ଭିତ୍ତିଭୂମି।
( ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ )
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନରେ ଥିବା ୧୯୨୬ ମସିହାରେ ଆଜିକୁ ୧୦୦ ବର୍ଷ ଭାପୁର ପୋଲିସ ଫାଣ୍ଡି ବ୍ରିଟିଶ ଅମଳରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ଥାନା ମାନ୍ୟତା ମିଳିନାହିଁ। ଦୀର୍ଘ ବର୍ଷର ଇତିହାସ ବହନ କରୁଥିବା ଏହି ଫାଣ୍ଡି ବର୍ତ୍ତମାନ ଛଦେଶ ଅଞ୍ଚଳର ଆଇନଶୃଙ୍ଖଳା ଦାୟିତ୍ବ ବହନ କରୁଥିବା ସତ୍ତ୍ବେ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧାର ଅଭାବ ଏବେ ଚିନ୍ତାର ବିଷୟ ପାଲଟିଛି। ଭାପୁର ବଜାର ପାଖ ୪୨ ନଂ ଜାତୀୟ ରାଜପଥ ରାସ୍ତା କଡରେ ଅବସ୍ଥିତ ଭାପୁର ଫାଣ୍ଡି ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ସହ ବ୍ୟାଙ୍କ,ବିଭିନ୍ନ ଦୋକାନ,ଶିକ୍ଷାନୁଷ୍ଠାନ,ଚିକିତ୍ସାଳୟ,ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଭାପୁର ଫାଣ୍ଡି ଅଧୀନରେ ପ୍ରାୟ ୧୨ଟି ପଞ୍ଚାୟତର ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ରହିଛନ୍ତି। ଭାପୁର ବଜାର ଠାରୁ ସଦର ଥାନା ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଫାଣ୍ଡି ଉପରେ ଅଞ୍ଚଳର ୧୨ଟି ପଞ୍ଚାୟତ ସଦର ବ୍ଲକରେ ୮ଟି ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଭାଲିଆବୋଲକାଟେଣୀ,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା ଧୀରପାଟଣା,ଶଙ୍କରପୁର ଓ ଓଡ଼ାପଡ଼ା ବ୍ଲକ ଅଧୀନରେ ୪ ଟି ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦ ତଥା ପାମାଳ ଠାରୁ କୋଟବେରେଣୀକୁ ନେଇ ଛଦେଶ ଅଞ୍ଚଳ ଗଠିତ। ଫାଣ୍ଡି ଉପରେ ଭାପୁର ଛଦେଶ ଅଞ୍ଚଳବାସୀ ସମ୍ପୂର୍ଣ ନିର୍ଭର କରନ୍ତି। ତେବେ ଦିନକୁ ଦିନ ବଢ଼ୁଥିବା ଅପରାଧ,ବେଆଇନ ଦେଶୀ ମଦ କାରବାର,ତାସରେ ଜୁଆ ଖେଳ ଆଡ୍ଡା,ଚୋରା ଖଣି ଖନନ,ନିଶାଦ୍ରବ୍ୟ କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଫାଣ୍ଡି କରିବା ସୀମିତ କର୍ମଚାରୀ ମଧ୍ୟରେ କଷ୍ଟସାଧ୍ୟ ହୋଇପଡ଼ିଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଫାଣ୍ଡିରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ ଆବାସ ବା କ୍ରାର୍ଟର ବ୍ୟବସ୍ଥା ନାହିଁ। ଜରୁରୀ ପରିସ୍ଥିତିରେ ତୁରନ୍ତ ଡ୍ୟୁଟିରେ ଯୋଗଦେବାରେ ଅସୁବିଧା ସୃଷ୍ଟି ହେଉଛି। ପୋଲିସ କର୍ମଚାରୀଙ୍କ ପାଇଁ ଆବାସ ବ୍ୟବସ୍ଥା ନଥିବାରୁ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସେବା ପ୍ରଦାନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି ଏବଂ ଫାଣ୍ଡିଟି ସେଇ ଜରାଜୀର୍ଣ୍ଣ ହୋଇ ପୁରୁଣା ଆଜବେଷ୍ଟରେ ରହିଛି,ବର୍ତ୍ତମାନ ପରିସ୍ଥିତିରେ କେବଳ ଫାଣ୍ଡିଟି ଥାନା ମାନ୍ୟତା ପ୍ରଦାନ ସହ,ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାର୍ଟର,ଆଧୁନିକ ଭିତ୍ତିଭୂମି ଓ ଜନବଳ ବୃଦ୍ଧି ମଧ୍ୟ ସମାନ ଭାବେ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା,ବ୍ରିଟିଶ ଅମଳରୁ ହୋଇଥିବା ଏହି ଫାଣ୍ଡିକୁ ସମୟୋପଯୋଗୀ ଭାବେ ଥାନାରେ ଉନ୍ନୀତ କରାଯିବା ସହ ପୋଲିସ କର୍ମଚାରୀଙ୍କ ପାଇଁ ଆବାସ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଗଲେ ସମଗ୍ର ଅଞ୍ଚଳର ଆଇନଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ତେଣୁ ରାଜ୍ୟ ସରକାର ଓ ପୋଲିସ ମୁଖ୍ୟାଳୟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
