*୩୭ ବର୍ଷର ଗୌରବମୟ ଶିକ୍ଷକତାର ପରିସମାପ୍ତି : ନେତାଜୀ ଉଚ୍ଚ ବିଦ୍ୟାଳୟରେ ବିଜୟ କୁମାର ଦେବତାଙ୍କୁ ଭାବବିହ୍ୱଳ ବିଦାୟ* । ବରଗଡ :୦୧/୦୮(ନି ପ୍ର )ଗାଇସିଲେଟ : ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ସେ ଗଢ଼ନ୍ତି ମଣିଷ। ସେହିପରି ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରବତ୍ସଳ ଶିକ୍ଷକ ଶ୍ରୀ ବିଜୟ କୁମାର ଦେବତାଙ୍କ ୩୭ ବର୍ଷର ଗୌରବମୟ ଶିକ୍ଷକ ଜୀବନର ଅବସାନ ଅବସରରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ କଟାବାହାଲସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଞ୍ଚଳବାସୀଙ୍କ ବ୍ୟାପକ ଉପସ୍ଥିତି ସଭାକୁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସୁଦର୍ଶନ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଜ୍ଞାନ ଶିକ୍ଷକ ପ୍ରମୋଦ ସାହୁ, କ୍ରୀଡା ଶିକ୍ଷକ କଂଗ୍ରେସ ପଧାନ ଏବଂ ପୂର୍ବତନ ସଂସ୍କୃତ ଶିକ୍ଷକ ଅନଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢେଇ ଯୋଗଦେଇ ଶ୍ରୀ ଦେବତାଙ୍କ ଦୀର୍ଘ ଶିକ୍ଷକତା ଜୀବନର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମର ଗୌନ୍ତିଆ ମାନଭଞ୍ଜନ ବରିହା, ଜଟାଧାରୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନାତନ ବଢେଇ, ପୂର୍ବତନ ସଭାପତି ପ୍ରଫୁଲ୍ଲ ବେହେରା, ବିପିନ ବିହାରୀ ପ୍ରଧାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାହୁ, ଐଶ୍ୱର୍ଯ୍ୟ ଶେଖର ଦେବତା, ମୋହନ ରଣା, ଅରକ୍ଷିତ ବାରିକ, ବିଷ୍ଣୁ ଭୋଇ, ପ୍ରଫୁଲ୍ଲ ଡନସେନା, ସଙ୍କୀର୍ତ୍ତନ ସେଠ ପ୍ରମୁଖ ଯୋଗଦେଇଥିଲେ। ଏହାସହ ସୁଦାମ ପଧାନ, ଇନ୍ଦ୍ରମଣି ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ସମାରୁ ସାହୁ, ତେଜରାଜ କର୍ଣ୍ଣାଲ ଓ କଳ୍ପତରୁ କର୍ଣ୍ଣାଲ ମଧ୍ୟ ଉପସ୍ଥିତ ଥିଲେ। ବକ୍ତାମାନେ ନିଜ ଅଭିଭାଷଣରେ ଶ୍ରୀ ଦେବତାଙ୍କୁ ଜଣେ ଅନୁଷ୍ଠାନପ୍ରେମୀ, ଛାତ୍ରବତ୍ସଳ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠ ଓ ଆଦର୍ଶ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ, ଶିକ୍ଷାଦାନ ସହ ସାମାଜିକ, ସାଂସ୍କୃତିକ ଓ ନୈତିକ ମୂଲ୍ୟବୋଧର ପ୍ରସାରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଶିକ୍ଷକତା ସହିତ କଳାଜଗତରେ ମଧ୍ୟ ଶ୍ରୀ ଦେବତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘ ବର୍ଷ ଧରି ବିଭିନ୍ନ ଧନୁଯାତ୍ରା ମଞ୍ଚରେ କଂସ ଚରିତ୍ରରେ ତାଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଆସିଛି। ଏହାବ୍ୟତୀତ ଯାତ୍ରାମଞ୍ଚରେ ରାବଣ ଓ ତ୍ରିପୁରାସୁର ଭୂମିକା ସହ ଦୂରଦର୍ଶନର ବିଭିନ୍ନ ଧାରାବାହିକ ଓ ଟେଲିଫିଲ୍ମରେ ତାଙ୍କ ଅଭିନୟ ପାଇଁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ବଲାଙ୍ଗୀରର ଲୋକପ୍ରିୟ ‘କଟପ୍ପା’ଙ୍କ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମର ଆକର୍ଷଣ ବଢ଼ାଇଥିଲା ନିଜ ପ୍ରତିକ୍ରିୟାରେ ଶ୍ରୀ ବିଜୟ କୁମାର ଦେବତା କହିଥିଲେ, “ମୋର ଆଦର୍ଶ ଗୁରୁ ଶ୍ୟାମ ସୁନ୍ଦର ପଧାନଙ୍କ ଆଦର୍ଶରୁ ଅନୁପ୍ରାଣିତ ହୋଇ ଜଣେ ଭଲ ଶିକ୍ଷକ ହେବାକୁ ପ୍ରୟାସ କରିଥିଲି। ଏହି ‘ମଣିଷ ତିଆରି କାରଖାନା’ରେ ଦୀର୍ଘ ବର୍ଷ ଧରି ଭଲ ମଣିଷ ଗଢ଼ିବା ହିଁ ମୋର ଲକ୍ଷ୍ୟ ଥିଲା।” ତାଙ୍କ ଏହି କଥା ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।ସହକାରୀ ଶିକ୍ଷକ ନବୀନ ବରିହା ସୁନ୍ଦର ଭାବେ ସଭା ପରିଚାଳନା କରିଥିବା ବେଳେ ବିପିନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବିଜୟ କୁମାର ଦେବତା ୨୪ ଅକ୍ଟୋବର ୧୯୮୯ରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୭ ବର୍ଷର ଗୌରବମୟ ସେବା ପରେ ୩୧ ଜୁଲାଇ ୨୦୨୬ରେ ସେ ନେତାଜୀ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶତାଧିକ ଅଞ୍ଚଳବାସୀ ବାଦ୍ୟବାଜନା, ନାଚ ଓ ସଙ୍ଗୀତର ତାଳେ ଏକ ବିଶାଳ ଶୋଭାଯାତ୍ରାରେ କଟାବାହାଲ ଗ୍ରାମ ପରିକ୍ରମା କରି ଶ୍ରୀ ଦେବତାଙ୍କୁ ମୁଣ୍ଡାପାଲିସ୍ଥିତ ବାସଭବନରେ ସମ୍ମାନର ସହ ପହଞ୍ଚାଇଥିଲେ। ବିଦାୟର ସେହି ଭାବପ୍ରବଣ ଦୃଶ୍ୟ ଅନେକଙ୍କ ଆଖିକୁ ଆର୍ଦ୍ର କରିଦେଇଥିଲା। ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରତି ସମାଜର ଅକୁଣ୍ଠ ସମ୍ମାନ, ଶ୍ରଦ୍ଧା ଓ ଭଲପାଇବାର ଏହି ଅନନ୍ୟ ଚିତ୍ର ଉପସ୍ଥିତ ସମସ୍ତଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବ।
