“ଚାଷୀଙ୍କ ପେଟକୁ କାତି, ବ୍ୟବସାୟୀଙ୍କ ମୋଟା କମାଣ! ଆସିକା ଗୌଡ଼ ଗୋଠ ରେ ସାର କଳାବଜାରୀ ଗୋଦାମ ସିଲ୍”
ଆସିକା (ରିପୋର୍ଟ :- ଦୁର୍ଗାମାଧବ ପାଢ଼ୀ )
ସାରା ରାଜ୍ୟରେ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ବଜାରରେ ସାରର ଘୋର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ଏକ ସଂକଟଜନକ ସ୍ଥିତିରେ ସାରର କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କୃଷି ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ଗୌଡଗୋଠ ଠାରେ ବେଆଇନ ଭାବେ ଚାଲିଥିବା ଏକ ସାର ଗୋଦାମ ଉପରେ ପ୍ରଶାସନ ଚଢ଼ାଉ କରି ଏହାକୁ ସିଲ୍ କରିଦେଇଛି।ବର୍ତ୍ତମାନ ଚାଷ ସମୟରେ ସ୍ଥାନୀୟ ଅଞ୍ଚଳରେ ସାର ମିଳୁନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ଆଶାରେ ସାର ଗଚ୍ଛିତ ରଖି ଚଢ଼ା ଦରରେ କଳାବଜାରୀ କରୁଥିବା ନେଇ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଅଭିଯୋଗ ପାଇ ପ୍ରଶାସନ ଗୌଡଗୋଠ ସ୍ଥିତ ସମ୍ପୃକ୍ତ ଗୋଦାମ ଗୃହରେ ହଠାତ୍ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଗୋଦାମରେ ବେଆଇନ ଭାବେ ଦୁଇଶହ ରୁ ଉର୍ଦ୍ଧ ବସ୍ତା ୟୁରିଆ ସାର ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା, ସେହି ଗୋଦାମ କୁ ସିଲ୍ କରିଥିଲେ। ପ୍ରଶାସନର ଏଭଳି କଠୋର ଆଭିମୁଖ୍ୟକୁ ସ୍ଥାନୀୟ ଚାଷୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।
