*ଲଗାଣ ବର୍ଷାରେ ଧୋଇଗଲା ଆରଡି(RD) ରାସ୍ତା: ଯୋଗାଯୋଗ ବିଚ୍ଛିନ୍ନ, ନିଜ ଉଦ୍ୟମରେ ଅସ୍ଥାୟୀ ରାସ୍ତା ନିର୍ମାଣ କଲେ କୁସମାଲ୍ ଗାଁର ଯୁବକ***
ନୂଆପଡା ( ମିଖାଏଲ ନନ୍ଦ)
ତା-୩୦/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ପଞ୍ଚାୟତର କୁସମାଲ୍ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବର୍ଷା ଜଳ ମାଡ଼ରେ ଗାଁର ମୁଖ୍ୟ ଆରଡି (RD) ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଧୋଇଯାଇଛି। ଫଳରେ ଖଡ଼ିଆଳଠାରୁ କୁସମାଲ୍, ଲାଙ୍ଗି ଏବଂ ଉପରପିଟା ଆଦି ଗ୍ରାମକୁ ଗମନାଗମନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।
ରାସ୍ତା କଟିଯିବା କାରଣରୁ ଏହି ତିନୋଟି ଗାଁର ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ ଏବଂ ରୋଗୀ। ବିପଦସଙ୍କୁଳ ଅବସ୍ଥାରେ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇ ନପାରି ନିଜ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ସେହିପରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କ ପାଇଁ ଏହି ରାସ୍ତା ଏକ ଜୀବନ ମରଣ ସମସ୍ୟା ପାଲଟିଛି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ, ଯାହା ଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ଭାରା ବା ଖାଟିଆରେ ବୋହି ମେଡିକାଲ୍ ନେବାକୁ ପଡ଼ୁଛି।
ଏତେ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ନୀରବତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ତଥା ଚର୍ଚ୍ଚା ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ପ୍ରଶାସନର ଭରସାରେ ନବସି କୁସମାଲ୍ ଗ୍ରାମର ଯୁବକମାନେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଲୋକଙ୍କ ଯିବାଆସିବା ସୁବିଧା ପାଇଁ ଗାଁର ଯୁବଶକ୍ତି ଏକାଠି ହୋଇ ନିଜ ଶ୍ରମଦାନରେ ଏକ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା କରିଛନ୍ତି। ଯୁବକମାନଙ୍କର ଏହି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଥିବା ବେଳେ, ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦୃଢ଼ ଦାବି ହେଉଛି।*
