ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ)- ସୋର ପୌରରାଞ୍ଚଳ ଅନ୍ତର୍ଗତ ୨ନମ୍ବର ଏବଂ ୩ ନମ୍ବର ୱାର୍ଡ଼ର ଉତ୍ତରେଶ୍ୱରର, ଜେନା ପୋଖରୀ ଆଡ଼ି, ରାଜେନ୍ଦ୍ର ରଥ ମିଲ ଏବଂ ହେପିହୋମ ଅଞ୍ଚଳରୁ ଜଳ ନିଷ୍କାସନ ହୋଇ ସୋର ଷ୍ଟେସନ ସମ୍ମୁଖ ରାସ୍ତାଦେଇ ମୁଖ୍ୟ ନୟନଜୋରି ହେଇ ପାଇକାଳି ନାଳବାଟେ ରେଲାଇନ ଅତିକ୍ରମ କରିଥାଏ। ମାତ୍ର ଗତ ଦୁଇ ବର୍ଷ ହେଲା ରେଳ ବିଭାଗ ତରଫରୁ ସଂପ୍ରସାରଣ କାର୍ଯ୍ୟ ବେଳେ ଏଠାରେ ଥିବା ନିୟମିତ ନୟନଜୋରିକୁ ପୋତିଦେବା ଫଳରେ ଜଳ ନିଷ୍କାସିତ ହେବାରେ ଘୋର ଅସୁବିଧା ସୃଷ୍ଟି ହେଉଛି ଫଳରେ ଏହି ସବୁ ଗ୍ରାମଗୁଡ଼ିକରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ପୌର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ଡ୍ରେନକୁ ଗତବର୍ଷଠାରୁ ନିର୍ମାଣ କରାଯାଇଥିଲେ ସୁଦ୍ଧା ରେଳ ବିଭାଗ ତରଫ ଡ୍ରେନ୍ କାର୍ଯ୍ୟକରୀ କରାଯାଉନଥିବାରେ ଏହି ପାଣି ଜମା ହୋଇ ଲୋକମାନଙ୍କ ଘରେ ପାଣି ପଶିବା ସହିତ ଜଳବନ୍ଦୀ ପରିସ୍ଥିତି ସୃଷ୍ଟ ହେଉଛି। ଏ ସଂପର୍କରେ ଚଳିତ ବର୍ଷ ମେ ମାସ ୨୭ ତାରିଖରେ ଜିଲାପାଳଙ୍କ ନିକଟରେ ସ୍ଥାନୀୟ ବାସିନ୍ଦଙ୍କ ତରଫରୁ ଜନଶୁଣାଣି ସମୟରେ ଅଭିଯୋଗ କରିବା ପରେ ଜିଲାପାଳ ରେଳ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଏହି କାର୍ଯ୍ୟ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଅନୁସାରେ ସୋର ରେଳବାଇ ଦାୟତ୍ୱରେ ଥିବା ଏଏକ୍ସଇଏନ୍ କାଳିଚରଣ ସାଓ କ୍ଷେତ୍ର ପରିଦର୍ଶ ବେଳେ ଏହାର ଜରୁରୀ ଉପଲବ୍ଧି କରି ତୁରନ୍ତ କାର୍ଯ୍ୟ କରିବାକର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗୋଟିଏ ମାସ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଅଗ୍ରଗତି ହେଉ ନାହିଁ। ଫଳରେ ଆଗାମୀ ବର୍ଷା ସମୟରେ ଏହି ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ଶ୍ରୀ ସାଓଙ୍କୁ ବାରମ୍ବାର ସଚେତନ କରିଥିଲେ ସୁଦ୍ଧା କାର୍ଯ୍ୟକରୁ ନଥିବାରୁ ସ୍ଥାନୀୟ ଲୋକମାନଙ୍କ ତରଫରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଆଗାମୀ ଦିନରେ ଆନ୍ଦୋଳାନତ୍ମକ ପଦକ୍ଷେପ ନିଆଯିବା ସହିତ ଷ୍ଟେସନ ଆଗରେ ଧାରଣା ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଶ୍ରୀ ସାଓଙ୍କୁ ପଚାରିବାରେ ସେ କହିଲେ ଯେ ସେ କେବଳ ପବ୍ଲିକ ରିଲେସନ୍ ଅଫିସର ଅଛନ୍ତି ଏହି କାମ ତାଙ୍କ ଦାୟିତ୍ତ୍ୱରେ ନୁହେଁ ବୋଲି କହି ଏଡାଇ ଦେବାକୁ ଚେଷ୍ଟା କରିଥିଲେ।
