ତାଳଚେର:୧୫.୬.(ନିପ୍ର) ଭଞ୍ଜଦୂତ ଖବର କାଗଜ,ତାଳଚେର ଜନସମୁଦ୍ର ପାଲଟିଲା ରଥଦାଣ୍ଡ
ତାଳଚେର:
କୋଇଲା ସହର ତାଳଚେରରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସକାଳୁ ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ସୂର୍ଯ୍ୟପୂଜା ଆଦି ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ଶେଷ ହେବା ପରେ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ଏବଂ ଭକ୍ତଙ୍କ ହରିବୋଲ ମଧ୍ୟରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଗୋଟି ଗୋଟି ହୋଇ ସୁସଜ୍ଜିତ ରଥକୁ ବିଜେ କରିଥିଲେ।
ଏହା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ତାଳଚେର ରାଜ ପରିବାରର ସଦସ୍ୟଙ୍କ ଦ୍ୱାରା ‘ଛେରା ପହଁରା’ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଛେରା ପହଁରା ଶେଷ ହେବା ମାତ୍ରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ରଥର ଦଉଡିକୁ ଛୁଇଁବା ଓ ଟାଣିବା ପାଇଁ ବ୍ୟାକୁଳ ହୋଇପଡିଥିଲେ। ତାଳଚେର ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ହଜାର ହଜାର ଭକ୍ତଙ୍କ ସମାଗମରେ ସାରା ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଭାଇଚାରା ଓ ସାଂସ୍କୃତିକ ଏକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
