ନାଲକୋ କଲୋନୀରେ କ୍କାଟର ପୋଡି ଘଟଣା,
ବୁମ୍ ଦେଖି ED ଛାନିଆ, ପଚାରିବାରୁ କହିଲେ କିଛି ହେଇନି
ଅନୁଗୋଳ: ନାଲକୋ କଲୋନୀରେ ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଜିତେନ୍ଦ୍ର ସାହୁ ଙ୍କ A/939 କ୍ୱାର୍ଟରରେ ସୋମବାର ଅପରାହ୍ନ ପ୍ରାୟ ୩.୩୦ଟା ସମୟରେ ଅଗ୍ନିକାଣ୍ଡ ଘଟି ଘରର ବହୁ ଆସବାବପତ୍ର ଓ ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ଯାଇଥିଲା । ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ଯାଇଥିବା କୁହା ଯାଉଛି ।ଜିତେନ୍ଦ୍ରଙ୍କ କହିବା ଅନୁସାରେ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଘଟଣା ସମୟରେ ସେ ପରିବାର ସହ ଘରେ ଥିଲେ। ସୌଭାଗ୍ୟବଶତଃ କୌଣସି ଜୀବନହାନି ଘଟିନଥିଲେ ମଧ୍ୟ ଘରର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ବର୍ଷା ହେଲେ କ୍ୱାର୍ଟରର କାନ୍ଥରେ ମଧ୍ୟ କରେଣ୍ଟ ଲାଗୁଥିବା ସମସ୍ୟା ଦୀର୍ଘଦିନ ଧରି ରହିଛି। ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ସେମାନେ କହିଛନ୍ତି। ଅଗ୍ନିକାଣ୍ଡ ପରେ ନାଲକୋର ED, S&P Complex ଶ୍ରୀ ପ୍ରଣବ କୁମାର ଦାସ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏ ବିଷୟରେ ED ମହାଶୟଙ୍କୁ ପଚାରିବାରୁ “କିଛି ହୋଇନି” କହି ବୁମ୍ ଦେଖି ମୁହଁ ବୁଲାଇ ପଳାଇଯାଇଥିଲେ। ତେବେ କଣ ନାଲକୋର ଦୋଷ ଦୁର୍ବଳତା ଘୋଡାଇବା ପାଇଁ ମୁହଁ ଖୋଲୁନାହାଁନ୍ତି କି ED ମହାଶୟ? ଏହି ମନ୍ତବ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଆସନ୍ତୋଷ ପ୍ରକାଶ ପାଇବା ସହ କିଛି ସଂଗଠନ ଏହାକୁ ନିନ୍ଦା କରିଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ କଲୋନୀରେ ବିଦ୍ୟୁତ ଆଘାତରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, କଲୋନୀରେ ଜରାଜୀର୍ଣ୍ଣ ବିଦ୍ୟୁତ ଖୁଣ୍ଟି, ମୁକୁଳା ବିଦ୍ୟୁତ ବୋର୍ଡ ଓ ଅସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ନାଲକୋ ଏମ୍ପ୍ଲୟୀଜ୍ ସଂଘର ସଭାପତି ନିର୍ମଳ କୁମାର ସାମଲ କହିଛନ୍ତି ଯେ, କଲୋନୀର ଅନେକ କ୍ୱାର୍ଟର ବହୁ ପୁରୁଣା ହୋଇପଡ଼ିଥିବାରୁ ସେଗୁଡ଼ିକ ବସବାସ ପାଇଁ ସୁରକ୍ଷିତ ନୁହେଁ। ଯଥାଶୀଘ୍ର ମରାମତି କିମ୍ବା ବିକଳ୍ପ ବ୍ୟବସ୍ଥା କରାନଗଲେ ଭବିଷ୍ୟତରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସେ ସତର୍କ କରିଛନ୍ତି। ଘଟଣା ପରେ କଲୋନୀବାସୀ ବିଦ୍ୟୁତ ବ୍ୟବସ୍ଥାର ତୁରନ୍ତ ଯାଞ୍ଚ, ଜରାଜୀର୍ଣ୍ଣ କ୍ୱାର୍ଟରର ମରାମତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନାଲକୋ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
