*ନୂଆପଡ଼ାରେ ଧାନ କ୍ରୟ ପ୍ରକ୍ରିୟା ଜାରି: ୫ ଲକ୍ଷ କ୍ୱିଣ୍ଟାଲ ଅତିକ୍ରମ କଲା କ୍ରୟ, ୯୮୭୮ ଚାଷୀ ବିକ୍ରୟରେ ସାମିଲ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୭/୦୬:
ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ରବି ଧାନ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ଜାରି ରହିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କ୍ରୟକୁ ସୁଗମ, ସୁବ୍ୟବସ୍ଥିତ ଓ ନିର୍ବିଘ୍ନ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଜୁନ ୨୭ ତାରିଖରେ ଜିଲ୍ଲାରେ ମୋଟ ୧୫,୬୭୩.୫୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ୩୨୮ ଜଣ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଦିନରେ ୨୫ଟି ଧାନ କ୍ରୟ କେନ୍ଦ୍ର (ପିପିସି) କାର୍ଯ୍ୟକ୍ଷମ ଥିଲା।ଚଳିତ ରବି ଧାନ କ୍ରୟ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୫,୦୩,୩୧୯.୧୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ ୯,୮୭୮ ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି। ଜିଲ୍ଲାର ସମସ୍ତ ୫୧ଟି ପିପିସି ମାଧ୍ୟମରେ କ୍ରୟ ପ୍ରକ୍ରିୟା ଚାଲିଛି।ଉଲ୍ଲେଖଯୋଗ୍ୟ ଯେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବି ଧାନ କ୍ରୟ ସମୟସୀମା ବୃଦ୍ଧି କରାଯାଇଛି। କେଏମଏସ୍ ୨୦୨୫-୨୬ ପାଇଁ ରବି ଧାନ କ୍ରୟ ଅବଧିକୁ ୦୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହି ସମୟ ମଧ୍ୟରେ ବୈଧ ଟୋକନ୍ ଥିବା ଚାଷୀମାନେ ମଣ୍ଡିକୁ ଆଣୁଥିବା ସମସ୍ତ ଧାନ କ୍ରୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସମ୍ପୂର୍ଣ୍ଣ କ୍ରୟ ପ୍ରକ୍ରିୟାର ନିରନ୍ତର ନିରୀକ୍ଷଣ କରି ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ସମସ୍ତ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି।
