ସୋର ଥାନା ରେ ସ୍ଥାୟୀ ଥାନା ଅଧିକାରୀ ନିଯୁକ୍ତି ଦାବି।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାଲେଶ୍ଵର ଜିଲ୍ଲାର ଏକ ଗୁରୁତ୍ଵପୂର୍ଣ୍ଣ ତଥା ବ୍ୟସ୍ତବହୁଳ ଥାନା ଭାବେ ସୋର ଥାନା ପରିଚିତ । ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ସ୍ଥାୟୀ ଥାନା ଅଧିକାରୀଙ୍କ ପଦବୀ ଫାଙ୍କା ପଡ଼ିରହିଛି। ଏହାର ସୁଯୋଗ ନେଇ ସହରରେ ଚୋରି, ରାହାଜାନୀ ଏବଂ ଡ଼କାୟତି ଭଳି ଅପରାଧ ବୃଦ୍ଧି ପାଉଥିବା ବେଳେ ପୋଲିସର ହାତ ଖାଲି ରହୁଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉ କି, ଗତ ମେ ମାସ ୨୮ ତାରିଖରେ ଇଦ୍ ଉଲ୍ ଜୁହାର ସମୟରେ ସୋରରେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଗତ ଜୁନ୍ ୬ ତାରିଖରେ ସୋର ଥାନା ଅଧିକାରୀ ଦାୟିତ୍ଵ ରେ ଥିବା ମୁକୁନ୍ଦ ମୁରାରି ପାତ୍ରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନାଙ୍କୁ ସୋର ଥାନା ଅଧିକାରୀ ଭାବେ ସ୍ଥାୟୀ ନିଯୁକ୍ତି ମିଳିଥିଲା। ମାତ୍ର ପରେ ସେହି ନିଯୁକ୍ତି ଆଦେଶ ବାତିଲ ହୋଇଯାଇଥିଲା। ପରେ ଶ୍ରୀ ଜେନା ଙ୍କୁ ସିମୁଳିଆ ଥାନା କୁ ବଦଳି କରାଯାଇ ସୋର ଥାନା ରେ ଭାରାପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।ସେବେଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି ଫାଙ୍କା ରହିଛି । ଥାନାରେ ଦାୟିତ୍ୱରେ ସ୍ଥାୟୀ ବରିଷ୍ଠ ଅଧିକାରୀ ନଥିବାରୁ ପୋଲିସର ପାଟ୍ରୋଲିଂ ଏବଂ ରାତି ଜଗୁଆଳୀ ବ୍ୟବସ୍ଥା କୋହଳ ହୋଇପଡ଼ିଛି। ଫଳରେ ରାତି ଅଧିଆ ଦୋକାନ ବଜାର ଭାଙ୍ଗିବା, ବାଇକ୍ ଚୋରି ଏବଂ ଘରୁ ଚୋରି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଦୀର୍ଘ ଦିନ ଧରି ସ୍ଥାୟୀ ଥାନା ଅଧିକାରୀ ନଥବାରୁ ସହରର ବ୍ୟବସାୟୀ ସଂଘ ଏବଂ ସଚେତନ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଜଣେ ଦକ୍ଷ ଏବଂ ସ୍ଥାୟୀ ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ଅଧୀକ୍ଷକ (SP)ଙ୍କୁ ଦାବି ହୋଇଛି। ଯଦି ଶୀଘ୍ର ଏହାର ପ୍ରତିକାର ନ କରାଯାଏ, ତେବେ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବାଲେଶ୍ଵର ଏସପି ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଜୋରଦାର ଦାବି ହେଉଛି।
*ସେମାନେ ଯାହା କୁହନ୍ତି*
ସୋର ଥାନା ରେ ତୁରନ୍ତ ସ୍ଥାୟୀ ଥାନା ଅଧିକାରୀ ନିଯୁକ୍ତି ହେବାକୁ ସାଧାରଣ ରେ ଦାବି ହେଉଛି।ଯଦି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ନହୁଏ ଆଗାମୀ ଦିନରେ ସୋର ବାସୀ ରାସ୍ତା ଘାଟରେ ଯିବା ଅସମ୍ଭବ ହୋଇପଡିବ।
ପୃଥିବୀ ରଞ୍ଜନ ବେହେରା, ଆଇନଜୀବୀ
ଦୁଇ ମାସରୁ ଅଧିକ ସମୟ ହେବ ସୋର ଥାନା ରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଫାଙ୍କା ପଡିଥିବା ବେଳେ ଯଥା ଶୀଘ୍ର ସ୍ଥାୟୀ ଏବଂ ଦକ୍ଷ୍ୟ ଥାନା ଅଧିକାରୀ ନିଯୁକ୍ତି ଦିଆଯାଉ।
ଅଞ୍ଜନ କୁମାର ଦାସ, ସାମ୍ବାଦିକ, ସୋର
ସୋର ପରି ସମ୍ବେଦନଶୀଳ ଥାନା ରେ ଏତେ ଦିନ ପର୍ଯ୍ୟନ୍ତ ଥାନା ଅଧିକାରୀ ନିଯୁକ୍ତି ନହେବା ଚିନ୍ତା ର ବିଷୟ। ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ ଯଥାଶୀଘ୍ର ଜଣେ ଦକ୍ଷ ଥାନା ଅଧିକାରୀ ଙ୍କୁ ନିଯୁକ୍ତ କରାନ୍ତୁ।
ମାନସ କୁମାର ଯେନା, ସଭାପତି ସାଜନପୁର ଯୁବକ ସଂଘ
