ବୌଦ୍ଧ ଜିଲ୍ଲାରେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଦ୍ଵାରା ବୌଦ୍ଧ ଧଳପୁର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ।
ବୌଦ୍ଧ, ତା. ୦୨/୦୬
ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତର ସାନବଙ୍କାପଡ଼ା ଗ୍ରାମରେ ଆଜି ପୂର୍ତ୍ତ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ବୌଦ୍ଧ ଧଳପୁର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସଭାରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ଛୁଆଳସିଂ ସରସରା ସରପଞ୍ଚ ହରି ନାୟକ, ସମିତି ସଭ୍ୟା ଶ୍ରୀମତୀ ଯମୁନାରାଣୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମନୋରଂଜନ ଦାସ ସଭା ସଂଯୋଜନା କରିଥିଲେ । ଏହି ପ୍ରକଳ୍ପ ଅନ୍ତର୍ଗତ ୨୦.୮ କି.ମି. ରାସ୍ତା ନିର୍ମାଣ ପାଇଁ ପ୍ରାୟ ୫୫ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୂର୍ତ୍ତ ବିଭାଗ, ଓଡ଼ିଶା ସରକାରଙ୍କ ତତ୍ତ୍ୱାବଧାନରେ ବୌଦ୍ଧ ଧଳପୁର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପାଦିତ ହେବ । ଏହି ଅବସରରେ ମାନ୍ୟବର ବିଧାୟକ କହିଥିଲେ ଯେ, ଏହି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଏହି ଉନ୍ନତ ଓ ପ୍ରଶସ୍ତ ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଯାତାୟତ ସୁବିଧା ବୃଦ୍ଧି ପାଇବା ସହ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ଆର୍ଥିକ ବିକାଶକୁ ନୂତନ ଗତି ମିଳିବ। ଉପସ୍ଥିତ ଜନସାଧାରଣ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
