ବୌଦ୍ଧ ଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା ବୈଠକ l ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ଶୂନ୍ୟ କରିବାକୁ ନିର୍ଦ୍ଦେଶ l
ବୌଦ୍ଧ, ତା ୨୭/୦୫: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ କଲେକ୍ଟରେଟ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଏବଂ ଆଇସିଡିଏସ୍ କ୍ଷେତ୍ରର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଘଟୁଥିବା ମାତୃ ଓ ଶିଶୁମୃତ୍ୟୁ ସମ୍ପର୍କରେ ଜିଲ୍ଲାପାଳ ସବିଶେଷ ସମୀକ୍ଷା କରିଥିଲେ। ସେ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେବା ପ୍ରଦାନରେ ଥିବା ତ୍ରୁଟି ଦୂର କରି ଭବିଷ୍ୟତରେ ଏପରି ଘଟଣା ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ଯକ୍ଷ୍ମାରୋଗ, ମ୍ୟାଲେରିଆ, କୁଷ୍ଠରୋଗ, ଅନ୍ଧତ୍ୱ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସମସ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବୈଠକରେ ସିଡିଏମଓ ଡଃ ମହେନ୍ଦ୍ର କୁମାର ସାହୁ, ଡିପିଏଚଓ, ସମସ୍ତ ଏଡିପିଏଚଓ, ଡିଏସଡବ୍ଲୁଓ, ଜିଲ୍ଲା ଶିକ୍ଷା ଅଧିକାରୀ, ଡିଆଇପିଆରଓ, ସମସ୍ତ ମେଡିକାଲ ଅଫିସର, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଏନଏଚଏମର ପରାମର୍ଶଦାତାମାନେ ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଏନଏଚଏମ ଗିରିଜା ପ୍ରସାଦ ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ଉପରେ ଉପସ୍ଥାପନା କରିଥିଲେ।
