ବ୍ୟବସ୍ଥିତ ଏସ୍.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟର ଅନ୍ତର୍ଭୁକ୍ତି ସୁନିଶ୍ଚିତ କରାଯାଇଛି
ବ୍ରହ୍ମପୁର, ତା. ୨୯.୦୬.୨୦୨୬ରିଖ: ସଠିକ୍ ତଥା ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିରେ ସମ୍ମିଳିତ ପ୍ରଚେଷ୍ଟା ସ୍ୱରୂପ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ବ୍ରହ୍ମପୁର ଉପଖଣ୍ଡର ଇ.ଆର୍.ଓ ଏବଂ ଏ.ଇ.ଆର୍.ଓ ମାନଙ୍କୁ ସାମିଲ୍ କରି ଏସ୍.ଆଇ.ଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାମିଲ୍ ହୋଇପାରିନଥିବା ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି, ଅଯୋଗ୍ୟ, ମୃତ ଏବଂ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରକୁ ବାଦ୍ ଦେବା, ସାମିଲ୍ ହୋଇପାରିନଥିବା ନୂତନ ଭୋଟରମାନଙ୍କ ଅନ୍ତର୍ଭୁକ୍ତି ନିମନ୍ତେ ବ୍ୟବସ୍ଥା ଅନୁଯାୟୀ ରହିଥିବା ସୁବିଧାସୁଯୋଗର ବ୍ୟାବହାରିକ ଉପଯୋଗ ଉପରେ ଆଲୋଚନା ମୁଖ୍ୟତଃ କେନ୍ଦ୍ରୀଭୂତ ଥିଲା l ଏହି କ୍ଷେତ୍ରରେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ତଥା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ସମ୍ମିଳନୀରେ ଉପସ୍ଥିତ ପଦାଧିକାରୀ ମତପୋଷଣ କରିଥିଲେ l ବିଭିନ୍ନ ରାଜନୈତିକ ଦଳ ତରଫରୁ ଯୋଗ ଦେଇଥିବା ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେମାନଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନଗୁଡିକର ଉତ୍ତର ମଧ୍ୟ ପଦାଧିକାରୀ ଦେଇଥିଲେ l ଗତ ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ପରିଗଣନା ଫର୍ମ ପୂରଣର ଅବଧି ଚ଼ଳିତ ଜୁନ୍ ମାସ ୨୮ ତାରିଖରେ ଶେଷ ହୋଇଛି l ଆସନ୍ତା ଜୁଲାଇ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ଚ଼ିଠା ଭୋଟର ତାଲିକା ପ୍ରକାଶନରୁ ଜଣାପଡ଼ୁଥିବା ଅସାମଞ୍ଜସ୍ୟତା ଅଥବା ତ୍ରୁଟି ସମ୍ବନ୍ଧରେ ଦାବି ବା ଆପତ୍ତି ଅଭିଯୋଗ ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାଖଲ ହୋଇପାରିବ l ଏହା ପରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦାବି କିମ୍ବା ଆପତ୍ତି ଅଭିଯୋଗର ଶୁଣାଣି ତଥା ବିଚାର ହେବାର ବ୍ୟବସ୍ଥା ଭିତରେ କୌଣସି ଯୋଗ୍ୟ ଭୋଟର ବାଦ୍ ପଡିଯିବା ଏତେ ସହଜ ନୁହେଁ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା l ବୈଠକରେ ଉପସ୍ଥିତ ଏ.ଡ଼ି.ଏମ୍ (ରାଜସ୍ଵ), ଗଞ୍ଜାମ ଶ୍ରୀ ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀମତୀ ରୀନା କୁମାରୀ ନାଏକ, ଏ.ଡି.ଏମ୍ (ସେନ୍ସସ୍) ଶ୍ରୀ ସୁନିଲ୍ କୁମାର କେର୍କେଟା ଏବଂ ଡେପୁଟି କଲେକ୍ଟର ଶ୍ରୀ ଅଲେଖ ରଞ୍ଜନ ମହାଙ୍କୁଡଙ୍କ ସମେତ ଇ.ଆର୍.ଓ ଏବଂ ଏ.ଇ.ଆର୍.ଓ ମାନଙ୍କ ବିଷୟ ଭିତ୍ତିକ ଆଲୋଚନା ସମ୍ମିଳନୀକୁ ସଫଳ କରିବାରେ ସହାୟକ ହୋଇଥିଲା l
