କିରାଣୀରୁ ଅଫିସର: ପ୍ରଥମ ପ୍ରୟାସରେ ଓଏସରେ ବାଜିମାତ୍ କଲେ ସଂଘମିତ୍ରା
ବୁଗୁଡ଼ା,୨୮/୦୫:(ଡ. କୁମୁଦ ଚନ୍ଦ୍ର ବେହେରା):କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ତିଷ୍ଠି ପାରେନାହିଁ, ଏହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଝିଅ ସଂଘମିତ୍ରା ପାତ୍ର। ଓଡିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ)-୨୦୨୪ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ ପ୍ରଥମ ପ୍ରୟାସରେ ହିଁ ସଂଘମିତ୍ରା ୧୮୭ତମ ରାଙ୍କ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ସେ ବର୍ତ୍ତମାନ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ) କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବାରୁ, ତାଙ୍କର ଏହି ସଫଳତା ସମଗ୍ର ଅଞ୍ଚଳ ତଥା କୋର୍ଟ ପରିବାରକୁ ଗୌରବାନ୍ୱିତ କରିଛି। ବୁଧବାର ସଂଘମିତ୍ରାଙ୍କ ଏହି ବିରାଟ ସଫଳତାର ଖବର ପହଞ୍ଚିବା ପରେ କୋର୍ଟ ପରିସରରେ ଖୁସିର ଲହରୀ ଖେଳିଯାଇଥିଲା। ସହକର୍ମୀ ଓ ଆଇନଜୀବୀ ବନ୍ଧୁମାନେ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସଂଘମିତ୍ରାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ନୂଆ ସାହିରେ। ତାଙ୍କ ପିତା ଧ୍ରୁବ ଚରଣ ପାତ୍ର ନିଜେ ଜଣେ କିରାଣୀ। ହୋଇଥିବା ବେଳେ ମାତା ଗୀତାଞ୍ଜଳି ପାତ୍ର ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ଘରର ବଡ଼ ଝିଅ ସଂଘମିତ୍ରା ପିଲାଦିନୁ ହିଁ ମେଧାବୀ ଥିଲେ। ସେ ଗଞ୍ଜାମ ଜିଲ୍ଲାର ସୁରଙ୍ଗୀ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ (ବିଜ୍ଞାନ) ଶେଷ କରିବା ପରେ ବ୍ରହ୍ମପୁରର ଖ୍ୟାତନାମା ଶଶିଭୂଷଣ ରଥ (ଏସବିଆର) ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ତିନି ଡିଗ୍ରୀ ହାସଲ କରିଥିଲେ। ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ନେଇ ସେ ୨୦୨୩ ମସିହାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ସିଭିଲ୍ ସର୍ଭିସ୍ କୋଚିଂ ନେଇଥିଲେ। ଚାକିରି ଜୀବନର ଆରମ୍ଭରେ ସେ ପ୍ରଥମେ ଲାଞ୍ଜିଗଡ଼ ବେଦାନ୍ତରେ ୪ ମାସ କାର୍ଯ୍ୟ କରିଥିଲେ। ଏହାପରେ ଗତ ମେ ୨୩ ତାରିଖ (୨୦୨୨)ରେ ସେ ଭଞ୍ଜନଗର କୋର୍ଟରେ କନିଷ୍ଠ କିରାଣୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। କାର୍ଯ୍ୟରେ ଯୋଗଦେବାର ମାତ୍ର କିଛି ଦିନ ମଧ୍ୟରେ ଏହି ବଡ଼ ସଫଳତା ଆସିବା ତାଙ୍କ ପରିବାରରେ ଆନନ୍ଦର ବାତାବରଣ ଖେଳାଇ ଦେଇଛି।
ନିଜର ଏହି ସଫଳତା ନେଇ ପ୍ରତିକ୍ରିୟା ରଖ୍ ସଂଘମିତ୍ରା କହିଛନ୍ତି ଯେ, “ଭଗବାନଙ୍କ ଅପାର କରୁଣା, ପିତାମାତାଙ୍କ ଆଶୀର୍ବାଦ ଏବଂ ପରିବାର ତଥା ସାଙ୍ଗସାଥୀଙ୍କ ନିରନ୍ତର ସହଯୋଗ ଯୋଗୁଁ ମୋତେ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ମିଳିପାରିଛି।” ତେବେ ପ୍ରଥମ ଥରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେ ନିଜର ଏହି ରାଙ୍କରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହନ୍ତି। ଆଗାମୀ ଦିନରେ ପୁଣିଥରେ ପରୀକ୍ଷା ଦେଇ ଅଧିକ ଉନ୍ନତ ରାଙ୍କ ହାସଲ କରିବାକୁ ସେ ଦୃଢ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।
ସଂଘମିତ୍ରାଙ୍କ ଏହି ଉଲ୍ଲେଖନୀୟ ସଫଳତା ଆଜି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଗ୍ରାମୀଣ ପ୍ରତିଯୋଗୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।
