*ଛତୁଆ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କେନ୍ଦ୍ର ବନ୍ଦ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି*
ଖଡ଼ିଆଳ(ମିଖାଏଲ ନନ୍ଦ):
ତା-୨୫/୦୫
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ଦୁଇ ଗୋଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ଆଜି ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପାଇଁ ‘ଟେକ ହୋମ ରାସନ’ (THR) ବା ଛତୁଆ ପ୍ରସ୍ତୁତ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଖଡ଼ିଆଳ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ତୁକଲା ଗ୍ରାମର ଜଗନ୍ନାଥ ମହିଳା ସଞ୍ଚୟ ସମିତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଖଡ଼ିଆଳ ର ରୁଦ୍ରମାଧବ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଛତୁଆ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସରକାରଙ୍କ ନିୟମ ମୁତାବକ ପ୍ରତ୍ୟେକ ମାସ ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ଛତୁଆ ତିଆରି ପାଇଁ ଆବଶ୍ୟକ ଜିନିଷ ଗୁଡ଼ିକୁ ସୁପରଭାଇଜର, ସ୍ଥାନୀୟ ସ୍ୱାସ୍ଥ୍ୟ କମିଟି, ମାତୃ କମିଟିର ଉପସ୍ଥିତିରେ ଗହମ, ଭଜା ବୁଟ, ଚିନାବାଦାମ ଓ ଚିନି ଆଦିକୁ ମିଶ୍ରଣ କରିବାର ସରକାରୀ ନିୟମ ରହିଛି ।
ହେଲେ ଆଜି ୨୩ ତାରିଖ ହୋଇଥିଲେ ସୁଦ୍ଧା ଖଡ଼ିଆଳ ମହିଳା ଓ ଶିଶୁ ବିକାଶ ଅଧୀନରେ ଥିବା ଦୁଇ ଗୋଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ବନ୍ଦ ଥିବା ଦେଖିବାକୁ ମିଳିଥିଲା ।
ଏନେଇ ଖଡ଼ିଆଳ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଲତା ବିଶ୍ୱାଳ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ ରିସିଭ କରି ନଥିବାରୁ ମତାମତ ନିଆଯାଇ ପାରି ନ ଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଛତୁଆ ପ୍ରସ୍ତୁତି ଦିନ କଡ଼ା ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜ୍ୟୁର (SOP) ଧାର୍ଯ୍ୟ କରାଯାଇଥାଏ । ଏହି କାର୍ଯ୍ୟକୁ ସ୍ୱଚ୍ଛ, ଗୁଣବତ୍ତା ସମ୍ପନ୍ନ ଓ ସୁରକ୍ଷିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କଡ଼ା ନିୟମ ପ୍ରସ୍ତୁତ କରାଯାଇଛି ହେଲେ ତାହା ଏଠାରେ ତାହା ଦେଖିବାକୁ ମିଳି ନାହିଁ ।
ଏକ କିଲୋଗ୍ରାମ ଛତୁଆ ପ୍ରସ୍ତୁତ ପାଇଁ ଗହମ ୪୮୪ ଗ୍ରାମ, ଭଜା ବୁଟ ୧୯୪ ଗ୍ରାମ, ଚିନାବାଦାମ ୧୨୮ ଗ୍ରାମ ଓ ଚିନି ୧୯୪ ଗ୍ରାମ ର ମିଶ୍ରଣ ରେ ଛତୁଆ ପ୍ରସ୍ତୁତ କରାଯିବାର ନିୟମ ରହିଥିଲେ ମଧ୍ୟ ସେହି ପରିମାଣର ମିଶ୍ରଣ କରାଯାଉ ନ ଥିବା ଅଭିଯୋଗ ହେଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତଦନ୍ତ କରିବାକୁ ଛତୁଆ ଖାଉଟି ଓ ଜନ ସାଧାରଣ ଦାବୀ କରିଛନ୍ତି ।
