ଜମି ପାଇଁ ପର ହେଲା ବାପା: କୋର୍ଟ ସାମ୍ନାରେ ଦୁଇ ପୁଅଙ୍କ ତେଲେଙ୍ଗା କଟୁରୀ ମାଡ଼ରେ ବାପା ଗୁରୁତର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଜମି ଭାଗ ପାଇଁ ଦୁଇ ପୁଅଙ୍କ ତେଲେଙ୍ଗା କଟୁରୀ ଚୋଟରେ ବାପା ଗୁରୁତର।
ବାପା ଜମି ଭାଗ ନଦେବାରୁ ସୋର କୋର୍ଟ ସାମ୍ନାରେ ଦୁଇ ପୁଅ ତାଙ୍କୁ ତେଲେଙ୍ଗା କଟୁରୀରେ ଗୋଡାଇ ଗୋଡାଇ ହାଣିଥିବା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ସୋର ଥାନା ତୁଣ୍ଡପଡା ଗ୍ରାମର ଗଣେଶ ବାରିକ (୪୫) ତାଙ୍କ ଜମିରୁ ଭାଗ ନଦେବାରୁ ଦୀର୍ଘଦିନ ଧରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଆଜି ମଧ୍ୟାହ୍ନରେ ବଡ଼ପୁଅ କିରଣ କୁମାର ବାରିକ (୨୩) ଓ ସାନପୁଅ କ୍ଷୀରୋଦ କୁମାର ବାରିକ (୧୯) ଗଣେଶଙ୍କୁ ସୋର କୋର୍ଟ ନିକଟକୁ ଡକାଇଥିଲେ। ସେଠାରେ ଜମିବାଡ଼ି ବିବାଦରୁ ବଚସା ହେବା ପରେ ଦୁଇ ପୁଅ ବାପା ଗଣେଶଙ୍କୁ ଏକ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲେ। ଏଥିରେ ଗଣେଶ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ସାନପୁଅ କ୍ଷୀରୋଦକୁ କାବୁ କରି ଥାନାରେ ଅଟକ ରଖିବା ସହିତ ତା ନିକଟରୁ ଏକ ତେଲେଙ୍ଗା କଟୁରୀ ଜବତ କରିଛି।
