ମାଛ ବ୍ୟବସାୟୀଙ୍କୁ ଲୁଟ୍ କରିବା ପଡ଼ିଲା ମହଙ୍ଗା; ଖୋଳତାଡ଼ ପରେ ୨ ଗିରଫ
ସୋର,୨୨/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପୁଲିସ ପଞ୍ଝାରେ ୨ ଡକାୟତି। ଗତ ଏପ୍ରିଲ ମାସ ୧୦ ତାରିଖ ସକାଳେ ସୋର ପୌରାଞ୍ଚଳ ଖଣ୍ଡାସାହି ଗ୍ରାମର କୃତିବାସ ଧଡା ବାଇକ ଯୋଗେ ମାଛ ଆଣିବାକୁ ଚୁଡାମଣି ଅଭିମୁଖେ ଯାଉଥିଲେ। ଏହି ସମୟରେ ଅନନ୍ତପୁର ଥାନା ଘୁସୁରା ପୋଲ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ ବୁଲେଟରେ ଆସି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ୨୪ ହଜାର ଟଙ୍କା ଲୁଟ କରିଥିଲେ। ଏନେଇ କୃତିବାସ ଅନନ୍ତପୁର ଥ।।ନରେ ଅଭିଯୋଗ କରିବା ପରେ ପୁଲିସ ୬୦/୨୬ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ଏହି ଲୁଟରେ ସମ୍ପୃକ୍ତ ଥିବା ରେୱଦା ଗ୍ରାମର ଶେଖ ସନୁଆର ଓ ବେଲପୁର ଗ୍ରାମର ଶେଖ କାଦିରକୁ ଗିରଫ କରିବା ସହିତ ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନିକଟରୁ ଲୁଟରେ ବ୍ୟବହୃତ ହୋଇଥିବା ଓଡି ୦୧ଏଭି ୦୧୮୩ ନମ୍ବର ବିଶିଷ୍ଟ ଏକ ବୁଲେଟ, ପ୍ଲାଷ୍ଟିକ ପାଇପ, ଗୋଟିଏ ମୋବାଇଲ ଓ ୩ ହଜାର ଟଙ୍କା ଜବତ କରାଯାଇଛି। ଏହି ଦୁଇ ଲୁଟେରା ସୋର, ସିମୁଳିଆ ଓ ବାସୁଦେବପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରୁ ଲୁଟ କରିଥିବା ଜଣାପଡିଛି।
